ଖୋର୍ଦ୍ଧା: ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ କରୁଥିବା ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ମଣ୍ଡିରେ କଟନୀ ଛଟନି ଆଳରେ ମିଲ ମାଲିକଙ୍କୁ ଲାଭବାନ କରି ଚାଷୀଙ୍କୁ ହତାଦାର କରାଯାଉଛି । ଏଭଳି କିଛି ଅଭିଯୋଗ ଆଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।
ଶୁକ୍ରବାର, ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭୃଗୁ ବକ୍ସିପାତ୍ର କହିଛନ୍ତି,‘କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଉଥିବା ସହାୟତା ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହାକୁ ବାଟମାରଣା କରାଯାଉଛି । କଟନୀ ଛଟନି ନାଁରେ ମିଳୁଥିବା ଅର୍ଥ ବିଜେଡି ଆକାଉଣ୍ଟକୁ ଯାଉଛି ।’
ଯାହାକୁ ବିରୋଧ କରିବା ସହ ଏହାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ତୃଣମୂଳ ସ୍ତରରେ ରାଜ୍ୟର ପ୍ରତ୍ୟେକ ଧାନ ମଣ୍ଡି ବୁଲି ଚାଷୀଙ୍କୁ ସଚେତନ କରିବ ବିଜେପି ବୋଲି ମଧ୍ୟ ସେ କହିଛନ୍ତି । ସୂଚନା ଥାଉକି, ଧାନ ବିକ୍ରି କରିବା ପାଇଁ ରାଜ୍ୟରେ ମଣ୍ଡି ଖୋଲିଥିବାବେଳେ କ୍ବିଣ୍ଟାଲ ପିଛା 1868 ଟଙ୍କାରେ ସରକାର ଧାନ କିଣୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ