ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ଚର୍ଚ୍ଚା ହେଉଥିବାବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି ଦୁଇ ଘଟଣାରେ ପୋଲିସ ନୀରବ ରହୁଛି । ଯାହାକୁ ବିରୋଧ କରି ଶନିବାର ଠାରୁ ଭାରତୀୟ ଜନତା ପାର୍ଟି ସତ୍ୟାଗ୍ରହ ଆରମ୍ଭ କରିଛି(BJP Stages Satyagraha Seeking Impartial Probe) । ଶନିବାର ସକାଳୁ କମିଶନରେଟ ପୋଲିସ ଅଫିସ ପାଖରେ ଧାରଣା ଦେଇଛି ବିଜେପି । ଦେବେ ଭାଜପା ନେତା ନିଆରା ଢଙ୍ଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରୁଥିବାର ଦେଖାଯାଇଛି ।
ବିଜେପି ଅର୍ଚ୍ଚନା ନାଗ ଘଟଣା ଓ ଧର୍ମେନ୍ଦ୍ର ସାହୁ ଘଟଣା ସହ ସଂପୃକ୍ତ ବ୍ୟକ୍ତିମାନଙ୍କ ନାମକୁ ଯୋଡି ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଆଉ ମାଦଳ, ମୃଦଙ୍ଗ ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ସେହି ଗୀତକୁ ଗାଇ ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦରେ ଜିଲ୍ଲା ସଭାପତି ବାବୁ ସିଂ, ପୃଥ୍ବୀରାଜ ହରିଚନ୍ଦନ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଜେପି ଦାବି କରିଛି ଯେ, ''ଅର୍ଚ୍ଚନା ସହିତ ସମ୍ପୃକ୍ତ ବଡବଡୁଆଙ୍କୁ ପୋଲିସ ତଦନ୍ତ ପରିସରକୁ ଆଣୁ । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଓ ଯୌନ କେଳେଙ୍କାରୀର ଅଡିଓ ଭାଇରାଲ ହେବା ପରେ ମଧ୍ୟ କାହିଁକି ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ।
ରାଜ୍ୟ ସରକାରର ଜଣେ ପାଓ୍ବାରଫୁଲ ମନ୍ତ୍ରୀଙ୍କୁ କାହିଁକି ଜେରା କରୁନାହିଁ ପୋଲିସ । ମୃତ୍ୟୁକାଳୀନ ଜମାନବନ୍ଦୀରେ ମନ୍ତ୍ରୀ ସମୀର ଦାସ ଓ ଅନ୍ୟ 4ଜଣଙ୍କ ନାଁ ନେଇଥିଲେ ଧର୍ମେନ୍ଦ୍ର । ତଥାପି କାହିଁକି ପୋଲିସ ହାତ ଖାଲି ? କିଛି ଏମିତି ଦାବି ନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଦଳ ସତ୍ୟାଗ୍ରହ କରିଛି ।
ବିଜେପିର ଦାବି ହେଲା ଆଗାମୀ 48 ଘଣ୍ଟା ମଧ୍ୟରେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରୁ ପୋଲିସ । ନଚେତ ଆନ୍ଦୋଳନ ଆଗକୁ ଆହୁରି ତେଜିବ । ଅର୍ଚ୍ଚନା ନାଗ ସହିତ ସମ୍ପୃକ୍ତ ନେତା ମନ୍ତ୍ରୀମାନଙ୍କୁ ଜେରା କରୁ ପୋଲିସ । କେଉଁ ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ଆକାଉଣ୍ଟରୁ ମନ୍ତ୍ରୀଙ୍କ ଆକାଉଣ୍ଟକୁ ବଡ ପରିମାଣର ଟଙ୍କା ନେଣଦେଣ ହେଲା ତାର ଖୁଲାସା କରୁ ପୋଲିସ । ନଚେତ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ବିଜେପି ଚେତାବନୀ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର