ଭୁବନେଶ୍ବର: ସରକାରଙ୍କ ଅତିରିକ୍ତ ବଜେଟ ପ୍ରସ୍ତାବକୁ ସମାଲୋଚନା କଲା ବିଜେପି । "ସାଧାରଣ ବଜେଟ ଟଙ୍କା ଖର୍ଚ୍ଚ ହୋଇନଥିବାବେଳେ ଅତିରିକ୍ତ ବଜେଟର କ'ଣ ଆବଶ୍ୟକତା ରହିଛି ?" ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ପ୍ରଶ୍ନ କରିଛନ୍ତି, "କ'ଣ ଆବଶ୍ୟକ ପଡିଲା ଯେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ ? ଅତିରିକ୍ତ ବଜେଟ ଆସିବାର 3 ମାସ ପୂର୍ବରୁ 21 ହଜାର କୋଟିର ଅତିରିକ୍ତ ବଜେଟ କାହିଁକି ?
ସେ ଆହୁରି ମଧ୍ୟ କହିଛନ୍ତି, "ଅତିରିକ୍ତ ବଜେଟ ପାଇଁ ସ୍ଵତନ୍ତ୍ର ନିୟମାବଳୀ ରହିଛି । ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଖର୍ଚ୍ଚ ପାଇଁ ଅଭାବ ହେଲେ ଅତିରିକ୍ତ ବଜେଟ ଆସିବ। ହେଲେ ଅବ୍ୟବସ୍ଥିତ ଢଙ୍ଗରେ ବଜେଟ ଖର୍ଚ୍ଚ ହେଉଛି । 2023-24 ରେ ବଜେଟର 2 ଲକ୍ଷ କୋଟି ବ୍ୟୟବରାଦରୁ ମାତ୍ର ୧୫ ପ୍ରତିଶତ ପ୍ରଥମ କ୍ୱାର୍ଟରରେ ଖର୍ଚ୍ଚ ହୋଇଥିବାବେଳେ ପୁଣି କାହିଁକି ବଜେଟ ଆଣୁଛନ୍ତି ସରକାର ? ଅତିରିକ୍ତ ବଜେଟ ପାଇଁ ବିଭାଗ ଗୁଡ଼ିକୁ ତଥ୍ୟ ମାଗିବା ବେଳେ ଦାରିଦ୍ର୍ୟ, କୃଷକ, ପାନୀୟ ଜଳ, ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଅତିରିକ୍ତ ବଜେଟରେ ସେସବୁ ନାହିଁ । ଖାଲି ବସ କିଣିବା ଏବଂ ନବୀନ ଓଡ଼ିଶା ଯୋଜନାରେ ଅଧିକ ବ୍ୟୟ ବରାଦ ହୋଇଛି । ତେଣୁ ଏହା କେବଳ ରାଜନୈତିକ ଓ ନିର୍ବାଚନୀ ବଜେଟ।"
ଏହା ବି ପଢନ୍ତୁ...22ରୁ ସରଗରମ ହେବ ବିଧାନସଭା: ସକାଳେ ବାଚସ୍ପତି ନିର୍ବାଚନ, ସନ୍ଧ୍ୟାରେ ଅତିରିକ୍ତ ବଜେଟ
"ସରକାର ଅତିରିକ୍ତ ବଜେଟ ଆଣନ୍ତୁ । କିନ୍ତୁ ରାଜ୍ୟ ସାରା ବୁଲି ଯେଉଁ ସବୁ ଘୋଷଣା କରିଛନ୍ତି ତାହା କ'ଣ ଏହି ବଜେଟରେ ଅଛି କି ? ବିକାଶ ନାମରେ ଯେଉଁ ବ୍ୟବସ୍ଥା କରୁଛନ୍ତି ବାସ୍ତବରେ ଏହା ଅବ୍ୟବସ୍ଥା। ଅର୍ଥମନ୍ତ୍ରୀ କହିଥିଲେ ଆମେ ଗଢିବାକୁ ଯାଉଛୁ ଭାଇବ୍ରାଣ୍ଟ ଓଡିଶା । ଏବେ 2023-24 ରେ ଆସିଥିବା ନିୟୁ ଓଡିଶା ତାହା ବଦଳାଇ ନବୀନ ଓଡିଶା ହୋଇଗଲା । ରାଜ୍ଯରେ ଆର୍ଥିକ ବ୍ୟବସ୍ଥାକୁ ଏପଟ ସେପଟ କରି ସାରିଲେଣି । ସେହିଭଳି ମିଶନ ଶକ୍ତି କଥା କହୁଛନ୍ତି, ମିଶନ ଛୋଟ ଛୋଟ ହୋଇଗଲାଣି ଶକ୍ତି ବଡ଼ କାରଣ ସରକାର ଶକ୍ତି ସଞ୍ଚୟ କରିବାକୁ ଚାହୁଁଛନ୍ତି । ଯାହାକି ରାଜନୈତିକ ଶକ୍ତି ସଞ୍ଚୟ" ଏପରି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ।
ଇଟିଭି ଭାରତ, ଭୁବନେଶ୍ବର