ଭୁବନେଶ୍ବର: ଓଡ଼ିଆ ବିଶ୍ଵ ବିଦ୍ୟାଳୟ ନିର୍ମାଣରେ ବିଳମ୍ବକୁ ନେଇ ବର୍ଷିଲା ବିଜେପି। ଏନେଇ ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ପ୍ରେସମିଟ୍ କରିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, " ବିଶ୍ୱ ବିଦ୍ୟାଳୟର ପରିକଳ୍ପନା କେବଳ ପରିକଳ୍ପନା ଭିତରେ ସୀମିତ । ବିଶ୍ଵବିଦ୍ୟାଳୟ ଘୋଷଣା ଏକ ଲଲିପପ୍ । ରାଜ୍ୟକୁ ଅଣ ଓଡିଆ ଅଫିସରମାନେ ଶାସନ କରୁଥିବାରୁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାମ ଆଗକୁ ଆଗେଇ ପାରୁନି । ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୧୧ ଏକର ଜମି ଦେଇଛନ୍ତି ରାଜ୍ୟ ସରକାର । ବିଶ୍ୱ ବିଦ୍ୟାଳୟର ହେଡ୍ କ୍ୱାଟର ଭୁବନେଶ୍ୱର ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା କି ଦୁର୍ଭାଗ୍ୟଜନକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ୟୁଜିସି ଓ ନାକ୍ ନିୟମ ଅନୁଯାୟୀ ଅତି କମରେ 5ଟି ବିଷୟରେ ପାଠପଢା ଆରମ୍ଭ ହେବା କଥା କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଚଳିତ ବର୍ଷ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ 3ଟି ବିଷୟ ବସ୍ତୁରେ ପାଠପଢା ହେବ । ଅନ୍ୟ ବ୍ୟବସ୍ଥା ବି ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ । ବିଜେପିର ଦାବି ଓଡ଼ିଆ ବିଶ୍ଵ ବିଦ୍ୟାଳୟ ବାସ୍ତବ ବାଦୀ ହେଉ। କେବଳ ପରିକଳ୍ପନା ଭିତରେ ରହି ନଯାଉ । ସର୍ବନିମ୍ନ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ଓ ଜମି ଯୋଗାଇ ଦିଅନ୍ତୁ ସରକାର।"
"ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଠକିବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାଁରେ ଛାତ୍ରଛାତ୍ରୀଙ୍କୁ ପ୍ରତାରିତ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ସମସ୍ତ ସରକାରୀ ନଥିପତ୍ର ଓ ନାମଫଳକ ଓଡ଼ିଆରେ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିଁ । ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବା ସ୍ୱାଗତ ଯୋଗ୍ୟ, କିନ୍ତୁ ଅଣଓଡ଼ିଆଙ୍କ ଦ୍ୱାରା ଶାସିତ ହେଉଥିବା ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟକୁ ଅବହେଳା ଦୁର୍ଭାଗ୍ୟଜନକ" ପ୍ରେସମିଟରେ କହିଛି ବିଜେପି।
ଏହା ବି ପଢନ୍ତୁ...ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଆଦିବାସୀ ! ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି
ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ କହିଛନ୍ତି, "ପୁରୀରେ ସ୍ୱତନ୍ତ୍ର ଐତିହ୍ୟ କ୍ୟାବିନେଟ ବସି ସତ୍ୟବାଦୀରେ ପ୍ରତିଷ୍ଠା କରାଯିବ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ମଧ୍ୟ କଲେ। ହେଲେ ଦୀର୍ଘ ୬ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଯୋଜନା ପରିକଳ୍ପନାରେ ରହିଲା, ନିର୍ମାଣ କାର୍ଯ୍ୟ ଶେଷ ହେଲା ନାହିଁ । ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଓ ଇଚ୍ଛାଶକ୍ତି ଅଭାବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯଥାଶୀଘ୍ର ବିଶ୍ୱବିଦ୍ୟାଳୟ କୁଳପତି, ରେଜିଷ୍ଟର, ଓଏସ୍ଡି, ଅଧ୍ୟାପକ ତଥା ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସହ ୟୁଜିସି ଓ ନାକ୍ ଅନୁଦାନ ଉପଯୋଗୀ ଆବଶ୍ୟକତା ପୂରଣ କରାଯାଉ । ଏହାସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ଭୁବନେଶ୍ୱର ପରିବର୍ତ୍ତେ ସତ୍ୟବାଦୀରେ ରଖାଯାଉ।"
ଇଟିଭି ଭାରତ, ଭୁବନେଶ୍ବର