ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି । ଏହି ହତ୍ୟାକାଣ୍ଡ ଘଟଣା ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା, ଶାସନ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏଭଳି ସମ୍ବେଦନଶୀଳ ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି ।
ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମୀ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଗୃହ ବିଭାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ । ଏହାସହ ଏଭଳି ସମ୍ବେଦନଶୀଳ ଘଟଣାର ଏସ୍ଆଇଟି ତଦନ୍ତ ଦାବି କରିଥିଲେ କଂଗ୍ରେସ ନେତା । ତେବେ ଆଜି ବିଜେପି ମଧ୍ୟ ସମାନ କଥାକୁ ଦୋହରାଇଛି ।
ଏନେଇ ପୃଥ୍ୱୀରାଜ କହିଛନ୍ତି, "ସରକାର ଯେଉଁ ପ୍ରକ୍ରିୟାରେ ତଦନ୍ତ ନେଉଛନ୍ତି ନିଜକୁ ନିଜେ କ୍ଲିନ୍ ଚିଟ ଦେବାକୁ ବ୍ୟଗ୍ର । କେମିତି, କାହିଁକି ଏଭଳି ଘଟଣା ଘଟିଲା, କିଏ ଷଡ଼ଯନ୍ତ୍ର ରଚିଲା, ଏହା ପଛରେ କିଏ ଜାଣିବାକୁ ଚାହୁଁନାହାନ୍ତି ସରକାର । ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଚାରପତି ନା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବା ବଧାନରେ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ସ୍ପଷ୍ଟ କରିନଥିଲେ ସରକାର । ଏବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କ ନାଁ ଆସିଛି । ପୂର୍ବରୁ ଅନେକ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଅନେକ ତଦନ୍ତ ହୋଇଛି । ଲକ୍ଷ୍ମଣାନନ୍ଦ ସରସ୍ବତୀ, କୁନ୍ଦୁଲି ପୀଡ଼ିତାଙ୍କ ଘଟଣାରେ ତଦନ୍ତ ହୋଇଥିଲେ ବି ଫଳାଫଳ ସମସ୍ତେ ଜାଣିଛନ୍ତି । ଷଡ଼ଯନ୍ତ୍ରର ଦିଗ ଦେଖାଯାଉଛି । କିନ୍ତୁ ସରକାର ଏହାକୁ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ । କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ କରିଥିଲେ ହୁଏତ ତଦନ୍ତ ଆଗକୁ ଯାଇଥାନ୍ତା । କିନ୍ତୁ ଆଜିର ଘଟଣାରୁ ସ୍ପଷ୍ଟ, ତଦନ୍ତ ଆଗକୁ ନନେଇ ରଫାଦଫା କରିବାକୁ ପ୍ରୟାସ କରାଯାଉଛି । ଏଭଳି ତଦନ୍ତରୁ କୌଣସି ନିଷ୍କର୍ଷ ବାହାରିବ ନାହିଁ ।" ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର