ଭୁବନେଶ୍ବର: ଆଜି ସରୁଛି ଧାମନଗର ଉପ ନିର୍ବାଚନର ପ୍ରଚାର । ହାତରେ ଆଉ କିଛି ଘଣ୍ଟାର ସମୟ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ଚେଷ୍ଟା ଜାରି ରଖିଛନ୍ତି ରାଜନୈତିକ ଦଳ । ଆଗାମୀ ଦୁଇ ଦିନରେ ବିଜେଡି ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା 30 ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି ।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ଟାର୍ଗେଟ କରି କହିଛନ୍ତି, "ଆଗାମୀ ଦୁଇ ଦିନରେ ମଦ, ମାଂସରେ ଗାଁ ବୁଡ଼ିବ। ଭୋଟ କିଣିବା ପାଇଁ ଚାରିଆଡ଼େ ଟଙ୍କା ବଣ୍ଟାଯିବ । ବିଜେପି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାୟିତ୍ବ ନିର୍ବାହ କରିଛି । ଅନୈତିକ ପ୍ରତିଶୃତି ଦେଉଛି ଶାସକ ଦଳ । ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଅଗଣତାନ୍ତ୍ରିକ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବିଜେଡ଼ି ।" ଧାମନଗର ଉପନିର୍ବାଚନରେ ହେଉଥିବା ବିଭିନ୍ନ ଅନିୟମିତତା ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି ।
ଏହା ମଧ୍ୟ ପଢ଼ନ୍ତୁ: Dhamnagar ByPoll: ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ମାରାଥନ ପ୍ରଚାର
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ବିଜେପି ଅନୁରୋଧ କରିଥିଲା । ଅବାଧ, ନିରପେକ୍ଷ ଓ ନିର୍ଭୟରେ ଯାଇ ଭୋଟ ଦେବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି । ଯେଉଁ ଦଳ ଲୋକଙ୍କ ପାଇଁ କାମ କରିବ ତାକୁ ହିଁ ଭୋଟ ଦେବା ଉଚିତ । ବିଜୁ ଜନତା ଦଳର ଛଳନାରୁ ଓଡ଼ିଶାବାସୀ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର