ଭୁବନେଶ୍ବର: ଆଗକୁ ଅଛି ବଡ ନିର୍ବାଚନ । ମାତ୍ର ଆଉ ହାତଗଣତି କେଇଟା ମାସ ଅଛି । ଏହାରି ଭିତରେ ଆଗୁଆ ନିର୍ବାଚନ ବି ଚର୍ଚ୍ଚା ହେଉଛି । ବିଜେପି 2024 ପାଇଁ ପ୍ରସ୍ତୁତ କରିଛି ନୂଆ ରଣନୀତି । ଯୁବ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଜେପି କରିଛି ମାଷ୍ଟର ପ୍ଲାନ। ଏହାର ପ୍ରମୁଖ ଦାୟିତ୍ବ ନେଇଛି ବିଜେପି ଯୁବମୋର୍ଚ୍ଚା । ଏ ନେଇ ଗତକାଲି ରବିବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଦେଶବ୍ୟାପୀ ବିଜେପିର ମତଦାତା ସଚେତନ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାରେ ମଧ୍ୟ ବିଜେପି କରିବ ମତଦାତା ସଚେତନ ଅଭିଯାନ । ଟାର୍ଗେଟରେ ଯୁବ ଏବଂ ଫାଷ୍ଟ ଟାଇମ ଭୋଟର । ଓଡ଼ିଶାରେ ୧୪୭ ବିଧାନସଭା କ୍ଷେତ୍ର ପାଇଁ ସ୍ବତନ୍ତ୍ର ଯୋଜନା କରିଛି ବିଜେପି । ଗତକାଲି ଏହାକୁ ନେଇ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥର କିନ୍ତୁ ଭିନ୍ନ ଧରଣର ଷ୍ଟ୍ରାଟେଜି ରହିଛି । ଦଳର ନେତା, କର୍ମୀ, ଆଶାୟୀ ବିଧାୟକ ତଥା ସାଂସଦ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କ ପାଖକୁ ଯିବେ । ବର୍ତ୍ତମାନର ଦଳୀୟ ବିଧାୟକ ଏବଂ ସାଂସଦ ମଧ୍ୟ ମତାଦାତାଙ୍କୁ ଭେଟିବେ । ପ୍ଳାନ ଅନୁସାରେ ପଦ୍ମ କ୍ୟାମ୍ପର ଫୋକସ ରହିଛି ଯୁବ ଏବଂ ଫାଷ୍ଟ ଟାଇମ ଭୋଟ ଉପରେ । ସେମାନେ କିଭଳି ବିଜେପି ସପକ୍ଷରେ ଭୋଟ ଦେବେ ତାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ କରିଛନ୍ତି ରଣନୀତି।
ଏଥିଲାଗି ଗଠନ ହୋଇଛି ନୂଆ ଟିମ । ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, " ନୂଆ ଅଭିଯାନ ନୂଆ ରଣନୀତି । ଆମର ଲକ୍ଷ୍ୟ ୨୪ରେ ଡବଲ ଇଞ୍ଜିନ ସରକାର । ଦିଲ୍ଲୀରେ ପଦ୍ମ ଆଉ ଓଡ଼ିଶାରେ ମଧ୍ୟ ପଦ୍ମ । ବିଜେପି ନଜରରେ ଏବେ ନୂତନ ଭୋଟର । ରାଜ୍ୟ ସରକାର ପ୍ରତି ଆକ୍ରୋଶ ଓ କେନ୍ଦ୍ର ସରକାର ପ୍ରତି ଆକର୍ଷଣ ଅସ୍ତ୍ର କରି ଯୁବ ଭୋଟର ପାଖକୁ ଯିବ ବିଜେପି । ଓଡ଼ିଶାରେ ୧୪୭ ବିଧାନସଭା କ୍ଷେତ୍ର ପାଇଁ ସ୍ବତନ୍ତ୍ର ଯୋଜନା କରିଛି ଦଳ ।" ପ୍ରତି ବିଧାନସଭା କ୍ଷେତ୍ର ପାଇଁ ରହିବେ ବିଜେପିର ରହିଛି ପାଞ୍ଚ ଜଣିଆ ଟିମ । ସେଥିମଧ୍ୟରୁ ଜଣେ ଆଇନଜୀବୀ କାର୍ଯ୍ୟକର୍ତ୍ତା, ଜଣେ ନିର୍ବାଚିତ ପ୍ରତିନିଧି ବିଧାୟକ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟରୁ ଜଣେ ।
ଦଳର ଜଣେ ରାଜ୍ୟସ୍ତରୀୟ ବରିଷ୍ଠ ନେତା, ସୋସିଆଲ ମିଡିଆ ପାଇଁ ଜଣେ କାର୍ଯ୍ୟକର୍ତ୍ତା ଏବଂ ଜଣେ ଯୁବ କାର୍ଯ୍ୟକର୍ତ୍ତା । ଏହି ଟିମର ମିନିଟରିଂରେ ବୁଥ ସ୍ତରରୁ ଭୋଟର ଲିଷ୍ଟ ସଂଗ୍ରହ ହେବ । ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ପ୍ରତ୍ୟେକ ବୁଥ ପାଇଁ ନୂଆ ୫୦ ଭୋଟର ପଞ୍ଜିକରଣ ଟାର୍ଗେଟ ରହିଛି । ସେହିପରି ବିଧାନସଭା କ୍ଷେତ୍ର ପାଇଁ ଟାର୍ଗେଟ ୧୦ ହଜାର ନୂଆ ଭୋଟର ପଞ୍ଜିକରଣ ଲକ୍ଷ୍ୟ ରହିଛି । ବିଧାନସଭା କ୍ଷେତ୍ର ଅନୁସାରେ କେଉଁ ବୁଥରେ କେତେ ନୂଆ ଭୋଟର ପଞ୍ଜିକୃତ ହେଲେ ତାର ରିପୋର୍ଟ ରାଜ୍ୟ ବିଜେପିକୁ ହସ୍ତାନ୍ତର କରାଯିବ ଜଣାପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର