ଭୁବନେଶ୍ବର: ଗତକାଲି ବିଜେଡି ଦ୍ବାରା ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । ରାଜନୀତିରେ ପୃଥ୍ବୀରାଜ ସାବାଳକ ହୋଇ ନାହାନ୍ତି ବୋଲି କହି କଟାକ୍ଷ କରିଥିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ସେ କହିଥିଲେ, "ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି ବୋଲି ପ୍ରଶ୍ନ କରୁଥିବା ପୃଥ୍ବୀରାଜ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଆନ୍ଧ୍ର ମଡେଲ ମଧ୍ୟ ରହିଛି । ଯେଉଁ ମଡେଲରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ଏଥିରେ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି ।" ତେବେ ଏନେଇ କଡ଼ା ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ମିଥ୍ୟା ଆରୋପ ପାଇଁ ୭ ଦିନ ଭିତରେ ବିଜେଡି କ୍ଷମା ପ୍ରାର୍ଥନା ନକଲେ ମାନହାନୀ ମୋକଦ୍ଦମା କରିବା ପାଇଁ ଚେତାବନୀ ଦେଇଛନ୍ତି ପୃଥ୍ବୀରାଜ ।
ପୃଥ୍ବୀରାଜ କହିଛନ୍ତି, "ଏଠାରେ ସରକାର ଚାଲୁନି । କିନ୍ତୁ ସରକାର ଚାଲୁନି ବୋଲି କହିଲେ ବିଜେଡିକୁ ଏବଂ ସରକାରକୁ ବହୁତ କଷ୍ଟ ହେଉଛି । ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ କହିଲେ ଏଠି ଶଶୀକଳା ସିଣ୍ଡ୍ରୋମ ଚାଲିଛି । ସରକାର କିଏ, ଦାୟୀତ୍ବ କାହାର, ଚଲାଉଛି କିଏ କିଛି ଜଣାପଡୁନି । ତାମିଲନାଡୁ ଭଳି ଶଶୀକଳା ସିଣ୍ଡ୍ରୋମ୍ ଚାଲିଛି । ଗତକାଲି ଆମେ କହିଥିଲୁ, ଯେ ନୀତିଶ କୁମାର ନବୀନ ବାବୁଙ୍କୁ ଭେଟିବା ଅପେକ୍ଷା ଯାହାକୁ ଭେଟିଲେ ନିଷ୍ପତ୍ତି ହୋଇପାରିବ ସେହି ବ୍ୟକ୍ତିଙ୍କୁ ଭେଟନ୍ତୁ । ଏକଥା ବହୁତ ଜୋରରେ ବିଜେଡିକୁ ବାଧିଲା । ସେଥିପାଇଁ ଏମିତି କହିଛନ୍ତି । କପୋଳକଳ୍ପିତ ଭାବରେ ସମସ୍ତ ରାଜନୈତିକ ମର୍ଯ୍ୟାଦା ଏବଂ ଶିଷ୍ଟାଚାରକୁ ଉଲଙ୍ଘନ କରି କାଲି ବ୍ୟକ୍ତିଗତ ଆକ୍ଷେପ କରିଛି ବିଜେଡି । ମୁଁ ଭ୍ରଷ୍ଟାଚାର କରି ରାଜନୀତି କରିବା ସଂସ୍କୃତିରୁ ଆସିନାହିଁ । ମୁଁ, ମୋ ବାପା ଏବଂ ସମ୍ପୂର୍ଣ୍ଣ ପରିବାରର ସଚ୍ଚୋଟତାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୁଏ । ଆମ ପରିବାର ଦେହରେ ଭ୍ରଷ୍ଟାଚାରର କଳା ଦାଗ ଆଜି ଯାଏଁ ଲାଗିନାହିଁ । ଏ କଥାକୁ ବୋଧେ ବିଜେଡି ଭୁଲି ଯାଇଛି । କାରଣ ଯିଏ ଭ୍ରଷ୍ଟାଚାରର ଚଷମା ପିନ୍ଧିଛି ତାକୁ ସବୁ ନେଳିଆ, ହଳଦିଆ ଦେଖାଯିବ । ଆଜି ବିଜେଡି ସହିତ ତାହା ହୋଇଛି । ଯେତେବେଳେ ଦଳ ତିଆରି କରୁଥିଲେ ପଇସା ନଥିଲା । ବିଜେପି ପାଖରୁ ପଇସା ଧାର କରି ତିଆରି ହୋଇଥିବା ଗୋଟିଏ ରାଜନୈତିକ ଦଳ ଆଜି ହଜାର ହଜାର କୋଟି ଟଙ୍କାର ମାଲିକ କେମିତି ହୋଇଛି ସେ କଥାର ଉତ୍ତର ବି ବିଜେଡି ଦେବାର ଆବଶ୍ୟକତା ଅଛି ।"
ଏହା ମଧ୍ୟ ପଢ଼ନ୍ତୁ...ରାଜନୀତିରେ ସାବାଳକ ହୋଇନାହାଁନ୍ତି ପୃଥ୍ୱୀରାଜ, କଟାକ୍ଷ କଲା ବିଜେଡି
ସେ ଆହୁରି କହିଛନ୍ତି, ସବୁ ତଦନ୍ତକାରୀ ସଂସ୍ଥା ନବୀନ ବାବୁଙ୍କ ପାଖରେ ଅଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ଭାବରେ ସିବିଆଇକୁ ବି ଲେଖି ପାରିବେ । କେବଳ ଆନ୍ଧ୍ର କାହିଁକି, ଆନ୍ଧ୍ର, ଛତିଶଗଡ଼ ଏବଂ ଭାରତର କେଉଁ ରାଜ୍ୟରେ ମୋ ନାଁରେ ଏକ ପଇସାର ଭ୍ରଷ୍ଟାଚାରର କୌଣସି ଅଭିଯୋଗ ଅଛି, ଲୋକଙ୍କ ଆଗରେ ଥରେ ନବୀନ ବାବୁ ରଖନ୍ତୁ । ଯଦି ଏ କଥା ପ୍ରମାଣ ଦେବାର ଯୋଗ୍ୟତା ନାହିଁ, ତେବେ ଏଭଳି ମିଛ ଓ କପୋଳକଳ୍ପିତ ଆକ୍ଷେପ ଉପରେ ୭ ଦିନ ଭିତରେ ବିଜେଡି ତରଫରୁ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ୭ ଦିନ ଭିତରେ କ୍ଷମା ମାଗିବେ ନାହିଁ, ତେବେ ୭ ଦିନ ପରେ ଫୌଜଦାରୀ ମାନହାନୀ ମୋକଦ୍ଦମା କରିବି । କାହା ନାମରେ କରିବି ସେତେବେଳେ କହିବି । ସମାଲୋଚନା ରାଜନୀତିରେ ହୁଏ । ସମାଲୋଚନାକୁ ନେଇ ନିଜ ସରକାରୀ ବ୍ୟବସ୍ଥା ନିଜକୁ ସଜାଡିବାର ଆବଶ୍ୟକତା ଅଛି । ଆମେ ସମାଲୋଚନା ବିନା ତଥ୍ୟ ପ୍ରମାଣରେ କରିନାହୁଁ । ସବୁବେଳେ ତଥ୍ୟ ପ୍ରମାଣ ସହ ସମାଲୋଚନା କରିଛୁ ଏବଂ ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡା କରିଛୁ । ଯାହାକୁ ସମାଲୋଚନା ବାଧୁଛି ତାଙ୍କୁ ଶାସନ କଳରେ ରହିବାର ଯୋଗ୍ୟତା ନାହିଁ । ଏ କଥା ସେମାନେ ପ୍ରମାଣିତ କରୁଛନ୍ତି । ବ୍ୟକ୍ତିଗତ ଆକ୍ଷେପ କରି ଏକଥା ଦେଖାଉଛନ୍ତି ଯେ ଆମେ ଗୋଟିଏ ରାଜନୈତିକ ଦଳ ନୁହେଁ, ଚାମଚା ପାର୍ଟିରେ ପରିଣତ ହୋଇଯାଇଛୁ ।"
ଇଟିଭି ଭାରତ, ଭୁବନେଶ୍ବର