ଭୁବନେଶ୍ବର: ବିଜେଡିର ପ୍ରତିଷ୍ଠା ଦିବସ ବେଳେ ବିଜେପି ସତ୍ୟାଗ୍ରହ ଆହ୍ୱାନ ଦେଇଛି । କୌଣସି ପ୍ରସଙ୍ଗ ନପାଇ ବିଜେପି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ଏଭଳି ରାଜନୀତି ପାଇଁ ବିଜେପି ଆଗାମୀ ଦିନରେ ବି ପ୍ରତ୍ୟାଖ୍ୟାନ ହେବ ବୋଲି ସେ କହିଛନ୍ତି ।
ଇପ୍ସିତା କହିଛନ୍ତି ଯେ, ଓଡିଶା ବିଜେପି କେବଳ ମିଥ୍ୟା ଅଭିଯୋଗ କରିପାରେ । କିନ୍ତୁ ସେମାନଙ୍କର ଅଭିଯୋଗକୁ ଅଦାଲତଙ୍କ ସମ୍ମୁଖରେ ପ୍ରମାଣ ଆକାରରେ ଉପସ୍ଥାପନ କରିବାର ସତ ସାହସ ନାହିଁ । ଯେତେବେଳେ ବି ନିର୍ବାଚନ ଆସେ, ଓଡିଶା ବିଜେପି ଏପରି ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରେ । ନିର୍ବାଚନ ସମାପ୍ତ ହେବା ପରେ ସେସବୁକୁ ଭୁଲିଯାଏ । ବିଗତ ନିର୍ବାଚନ ସମୟରେ ବାରମ୍ବାର ଏଭଳି ଦେଖିବାକୁ ମିଳୁଛି । ଏହି ପ୍ରକାରର ନକାରାତ୍ମକ ତଥା ଭିତ୍ତିହୀନ ଅଭିଯୋଗ ପାଇଁ ଓଡିଶାବାସୀ ବାରମ୍ବାର ଓଡିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଭବିଷ୍ୟତରେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିବେ ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି ନକରିବା ଏବଂ ଏହି ଘଟଣାରେ ପୀଡିତ ତଥା ସେମାନଙ୍କ ପରିବାର ପ୍ରତି କିଛି ସମ୍ମାନ ରହିବା ସହିତ ସେମାନଙ୍କ ମାନସମ୍ମାନ ଉପରେ ଯେଭଳି ଖରାପ ପ୍ରଭାବ ନପଡିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଇପ୍ସିତା ସାହୁ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର