ଭୁବନେଶ୍ବର: ମୁକ୍ତ ଅବାଧ ନିରପେକ୍ଷ ଉପନିର୍ବାଚନ ପରିଚାଳନା ଦାବିରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ସାମାନ ଦାବି ନେଇ ବିଜୁ ଜନତା ଦଳର ପ୍ରତିନିଧି ମଧ୍ୟ ସିଇଓଙ୍କୁ ସାକ୍ଷାତ କରିଛନ୍ତି ।
ଝାରସୁଗୁଡା ଉପନିର୍ବାଚନଙ୍କୁ ନେଇ ମୈଦାନରେ ପ୍ରଚାର ଜୋରଦାର ଚାଲିଛି। ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ମୈଦାନରେ ଜୋରଦାର ଲଢେଇ କରୁଥିବା ବେଳେ ନିର୍ବାଚନ ରଣାଙ୍ଗନରେ ବିଗିଡିଛି ଆଇନ ଶୃଙ୍ଖଳା ସ୍ଥିତି । ଏହାକୁ ନେଇ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଶାସକ ବିଜେଡି ବିରୋଧରେ ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି। ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା କୁ ନେଇ ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ଗତକାଲି ଲଇକେରା ବ୍ଲକରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରଚାର କରୁଥିବା ବେଳେ ତାଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ଥାନାରେ FIR ହୋଇଛି ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ l ଯେଉଁଥିପାଇଁ ସିଇଓଙ୍କୁ ଭେଟି ତୁରନ୍ତ ଗିରଫ ଦାବି କରିଛି ବିଜେପି ପ୍ରତିନିଧି ମଣ୍ଡଳୀ l
ଏହାବି ପଢନ୍ତୁ- BJD Meet CEO: ଟଙ୍କଧର ଓ କୁସୁମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବିଜେପି ଅଭିଯୋଗ କରିଛି ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ l ସାରା ରାଜ୍ୟରେ ବିଜେପି ନେତା ଓ କର୍ମୀ ନିର୍ବାଚନରେ ଭାଗ କିପରି ନନେବେ, ସେଥିପାଇଁ ବିଜେଡି ଭୟଭୀତ ପରିବେଶ ସୃଷ୍ଟି କରୁଛି l ଝାରସୁଗୁଡାରେ ମଧ୍ୟ ସମାନ ପରିସ୍ଥିତି ବିଜେଡି ସୃଷ୍ଟି କରୁଥୁବା ଅଭିଯୋଗ କରିଛି ବିଜେପି l ଏନେଇ ବିଜେପି କହିଛି କୁଶାସନ କାରଣରୁ ୨୩ବର୍ଷର ନବୀନ ସରକାରଙ୍କଠାରୁ ମୁହଁ ଫେରାଉଛନ୍ତି ଓଡିଶାବାସୀ । ନିରାଶ ଏବଂ ହତାସ ହୋଇ ବିଜୁ ଜନତା ଦଳ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛି । ନିର୍ବାଚନରେ ଯେଣେତେଣ ଭାବେ ଭୋଟ ହାତେଇବା ପାଇଁ ସରକାରୀ କଳ ଓ ବଳକୁ ବ୍ୟବହାର କରି ଶାସକ ବିଜେଡି ସମସ୍ତ ପ୍ରକାରର ଆଇନ ଉଲ୍ଲଂଘନ କରିଚାଲିଛି । ନିର୍ବାଚନ ହାରିବା ଭୟରେ ଗତ କିଛି ବର୍ଷ ହେବ ବିରୋଧୀଙ୍କ ଉପରେ ହିଂସା କାର୍ଯ୍ୟକଳାପକୁ ମୁଖ୍ୟ ଅସ୍ତ୍ର ଭାବେ ଆୟୁଧ କରି ନିର୍ବାଚନୀ ସଫଳତା ପାଇବାର ପ୍ରୟାସ ଆରମ୍ଭ କରିଦେଇଥିବା ଅଭିଯୋଗ କରିଛି ।
ବିଜେପି ଅଭିଯୋଗ କରିଛି ଗୋଟିଏ ଦିନରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଉପରେ ଶାସକ ବିଜେଡିର କର୍ମୀମାନଙ୍କ ଦ୍ବାରା ଦୁଇ ଦୁଇ ଥର ଢେଲା, ପଥର ଓ ଅଣ୍ଡା ଆକ୍ରମଣ ହୋଇଛି । ଏହା ଦ୍ବାରା ଶାସକ ବିଜେଡିର ହିଂସାତ୍ମକ ମନୋଭାବକୁ ପୁଣି ଥରେ ପ୍ରମାଣିତ କରିଛି । ଏପରିକି ତାଙ୍କ ସହ ପ୍ରଚାର କରୁଥିବା ସୁନ୍ଦରଗଡ ବିଧାୟିକା ତଥା ତାରକା ପ୍ରଚାରକ କୁସୁମ ଟେଟେଙ୍କୁ ମଧ୍ୟ ଆକ୍ରମଣ କରାଯିବା ସହିତ ତାଙ୍କ ଗାଡିକୁ ଭାଙ୍ଗିରୁଜା କରାଯାଇଛି । ସ୍ଥାନୀୟ ଲଇକେରା ଥାନାରେ ଏତଲା ଦେବା ପାଇଁ ଯାଇଥିବା ଜନଜାତି ସଂପ୍ରଦାୟର କୁସୁମ ଟେଟେଙ୍କ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଏଫଆଇଆର ରୁଜୁ କରାଯାଇନଥିଲା । ଥାନାରେ ନିଜ ସମର୍ଥକଙ୍କ ସହ ଥିବାବେଳେ ବିଧାୟିକାଙ୍କୁ ବିଜେଡି କର୍ମୀମାନେ ଅତ୍ୟନ୍ତ ଅଭଦ୍ର ଆଚରଣ କରିବା ସହିତ ବନ୍ଧୁକ, ଖଣ୍ଡା, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାରି ଦେବାର ଧମକ ଦେଇଥିଲେ । ଏହି ସମୟରେ ସ୍ଥାନୀୟ ପୋଲିସ ସଂପୂର୍ଣ୍ଣ ନୀରବଦ୍ରଷ୍ଟା ସାଜି ରହିଥିଲା । ଏହି ଘଟଣା ଗଣତନ୍ତ୍ର ପ୍ରତି ଉପହାସ, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଚଳିତ ଝାରସୁଗୁଡା ଉପନିର୍ବାଚନ ସମୟରେ ଶାନ୍ତି ବଜାୟ ରହିବା ନିହାତି ଆବଶ୍ୟକ ବୋଲି ଦଳ ଦାବି କରିଛି ।
ଦଳ ଦାବି କରିଛି ଝାରସୁଗୁଡାରେ ବିଜୁ ଜନତା ଦଳର ପ୍ରଭାବ ଥିବା କାରଣରୁ ସ୍ଥାନୀୟ ପୋଲିସ ଉପରେ ଭରସା କରାଯାଉନାହିଁ । ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନିୟମିତ ଅପରାଧି ଓ ଦାଗୀମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉ । ଭୋଟିଂ ସମୟରେ ବ୍ୟାପକ ମାତ୍ରାରେ ହିଂସାକାଣ୍ଡର ଆଶଂକା ଥିବା କାରଣରୁ ସମସ୍ତ ବୁଥର ଉଭୟ ବାହାରେ ଏବଂ ଭିତରେ ସିସି ଟିଭି କ୍ୟାମେରା ଲଗାଯାଉ । ପର୍ଯ୍ୟାପ୍ତ ପରିମାଣର ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଉ ବୋଲି ଦଳ ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର