ଭୁବନେଶ୍ବର: ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସକୁ ବିରୋଧୀଙ୍କ କାଉଣ୍ଟର । କଂଗ୍ରେସ ଓ ବିଜେପି ମାଗିଲେ ବିକାଶର ହିସାବ । ପ୍ରଶ୍ନର ବାଣ ମାରିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ । ପ୍ରତିଷ୍ଠା ଦିବସରେ ଉତ୍ତର ରଖିବାକୁ ବିଜେଡିକୁ ଦେଲେ ଆହ୍ବାନ । ଆଜି ବିଜୁ ଜନତା ଦଳର କେଉଁ ଜଣେ ବି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ ନାହିଁ ବା କୌଣସି ପ୍ରସଙ୍ଗରେ ମତାମତ ଦେଇପାରିବେ ନାହିଁ ବୋଲି ଦୃଢ଼ୋକ୍ତି ରଖିଛନ୍ତି ଅନୀଲ ।
ଅନୀଲ କହିଛନ୍ତି, "ଓଡ଼ିଶା ନୁହେଁ, ବିଜେଡିର ହୋଇଛି ରୂପାନ୍ତରିକରଣ । ଆଞ୍ଚଳିକ ବାଦ, ଓଡ଼ିଆ ସ୍ବାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣଓଡ଼ିଆଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଛି । ଆଜି ବିଜୁ ଜନତା ଦଳର କେଉଁ ଜଣେ ବି ନେତା ଛାତିରେ ହାତ ରଖିକି କହିପାରିବେ କି ଯେ ସେ ଯେବେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରସଙ୍ଗରେ ମତାମତ ଦେଇପାରିବେ ? ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ପ୍ରସଙ୍ଗରେ ନିଜର ଅଭିଯୋଗ କରିପାରିବେ ? ଓଡିଶା ଲୋକଙ୍କୁ ଅନ୍ଧ କହୁଥିବା ବିଜେଡିର ନେତାମାନେ ଥରେ ଭାବନ୍ତୁ ଅନ୍ଧ କିଏ ?"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପ୍ରତିଷ୍ଠା ଦିବସକୁ କଂଗ୍ରେସର କାଉଣ୍ଟର, ବିକାଶର ହିସାବ ମାଗିଲେ ପିସିସି ସଭାପତି
ଏହି 23 ବର୍ଷର ବିଜୁ ଜନତା ଦଳର ଶାସନରେ ବିଜେଡି ଧନୀ ହୋଇଛି । ବିଜେଡିର ନେତାମାନେ ଧନୀ ହୋଇଛନ୍ତି । କିନ୍ତୁ ଓଡିଆ ଲୋକେ ଗରିବ ହୋଇଛନ୍ତି । ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ବିକାଶର ସବୁ ମାପଦଣ୍ଡରେ ଓଡିଶା ଆଜି ଦେଶରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ତଳେ । ଚାଷୀଙ୍କ ରୋଜଗାର, ଶିଳ୍ପାୟନ, ନିଯୁକ୍ତି, ପର୍ଯ୍ୟଟନ, ଭିତ୍ତିଭୂମି, ସ୍କୁଲ ଶିକ୍ଷାର ମାନକ, ଉଚ୍ଚ ଶିକ୍ଷାର ମାନକ, ଶିଶୁ ଓ ମାଆ ମାନଙ୍କର ସ୍ବାସ୍ଥ୍ୟର ସ୍ଥିତି ସବୁଥିରେ ଆଜି ଓଡିଶା ଦେଶରେ ସବୁରାଜ୍ୟ ଠାରୁ ପଛରେ । ବିଜୁ ଜନତା ଦଳ ଆଜି କିଭଳି ସ୍ଥିତିରେ ପହଞ୍ଚିଛି ତାର ସଦ୍ୟତମ ଉଦାହରଣ ହେଉଛି ଶ୍ରୀମନ୍ଦିରରେ ଗୋମାଂସ ଖାଇ ଜଣେ ବ୍ଲଗରଙ୍କ ପ୍ରବେଶ ପ୍ରସଙ୍ଗରେ ଯେଉଁଭଳି ଭାବରେ ସେହି ମହିଳାଙ୍କର ଏକ ମିଛ ସ୍ପଷ୍ଟୀକରଣ ଭିଡିଓକୁ ବିଜେଡିର ସବୁ ନେତାମାନେ ନିଜ ସୋସିଆଲ ମିଡିଆର ପ୍ରଚାର କରାଇଲେ । ଏହା ଆଉ ବୁଝିବା ପାଇଁ ବାକି ନାହିଁ ଯେ ବିଜେଡି ପାଇଁ କିଏ ବଡ଼, ମହାପ୍ରଭୁ ଜଗନ୍ନାଥ ନା ଭିକେ ପାଣ୍ଡିଆନ ? ଗୋମାଂସ ଭକ୍ଷଣକାରୀ ନା କୋଟି କୋଟି ଜଗନ୍ନାଥ ଭକ୍ତ ? ଆଜି ପ୍ରତିଷ୍ଠା ଦିବସରେ ସାଧାରଣ ଲୋକେ ଏହା ଭାବିବା ପାଇଁ ବାଧ୍ୟ ହେବେ ଯେ ଏହା ଭିତରେ ସେହି ଦଳ "ବିଫ୍ ଜନତା ଦଳ" ହୋଇସାରିଛି କି ? ପ୍ରତିଷ୍ଠା ଦିବସରେ ଏସବୁ ପ୍ରଶ୍ନର ପ୍ରତିଷ୍ଠା ଦିବସରେ ସ୍ପଷ୍ଟୀକରଣ ରଖୁ ବିଜେଡି ।"
ଇଟିଭି ଭାରତ, ଭୁବନେଶ୍ବର