ଭୁବନେଶ୍ବର: ଟ୍ବିନ୍ ସିଟିରେ ମେଟ୍ରୋ ଟ୍ରେନ ଚାଲିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ତେଜିଲା ରାଜନୀତି । ବିରୋଧି ବିଜେପି ଏହାକୁ ତାତ୍ସଲ୍ୟ କରିଥିଲା । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ସରକାର ମେଟ୍ରୋ ଟ୍ରେନ ଚଳାଇବା ଘୋଷଣା ଏପ୍ରିଲ ଫୁଲ ସଦୃଶ ନହେଉ । ଏହାର ବାସ୍ତବତା କଥା ରଖନ୍ତୁ । କେମିତି କରିବେ, ଟଙ୍କାର ପ୍ରାବଧାନ କଣ ରହିବ, ଏହାର ସମସ୍ତ ତଥ୍ୟ ସରକାର ରଖନ୍ତୁ ବୋଲି ସେ କହିଥିଲେ । ତେବେ ଆଜି ଏହାର କଡା ଜବାବ ରଖିଛି ବିଜେଡି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ନେତାଙ୍କ ମାନସିକ ଅବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ଉତ୍କଳ ଦିବସ ପାଳନ ସମୟରେ ବିରୋଧୀ ଦଳ ନେତା ମେଟ୍ରୋ ଟ୍ରେନ ଘୋଷଣାକୁ ଏପ୍ରିଲ ଫୁଲ ବୋଲି ଅବିହିତ କଲେ । ଏହା ଓଡିଶା ବିରୋଧୀ ମାନସିକତା । ଗତ କିଛିଦିନ ହେବ ବିଭିନ୍ନ ସମୟରେ ବିଜେପିର ବିଭିନ୍ନ ନେତାମାନେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଉଳା ଚାଉଳା ହେଉଛନ୍ତି । ତୁରନ୍ତ ତାଙ୍କର ଚିକିତ୍ସା କରାଇ ନିଅନ୍ତୁ ।" ନହେଲେ ବିଜେପି ସଫା ହୋଇଯିବ ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ଲେନିନ ।
ସେପଟେ ଏନେଇ ବିରୋଧି ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସୁର କହିଛନ୍ତି, "ମେଟ୍ରୋ ଟ୍ରେନ ଜଟଣୀ ପର୍ଯ୍ୟନ୍ତ ଯିବା ଦରକାର । କାରଣ ବହୁ ଆଗରୁ ଏ ବିଷୟରେ ଆଲୋଚନା ହୋଇଥିଲା । ଏପରିକି ବିଧାନସଭାରେ ମଧ୍ୟ ଏହି ବିଷୟ ଉଠିଥିଲା । ନବୀନ ବାବୁ ଗୃହରେ କହିଥିଲେ ମେଟ୍ରୋ କଟକ ଓ ଭୁବନେଶ୍ୱର ଦେଇ ଜଟଣୀ ପର୍ଯ୍ୟନ୍ତ ଚାଲିବ । ସରକାରୀ ଅର୍ଥରେ ଏହା କାର୍ଯ୍ୟକାରୀ ହେବ ।" ମୁଖ୍ୟମନ୍ତ୍ରୀ ତୁମେ ତୁମ ଜବାବ ରଖ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ।
ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଘୋଷଣା କରିଥିଲେ । ଟ୍ବିନ୍ ସିଟିରେ ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ କଟକ ତ୍ରିଶୂଳିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଘୋଷଣା କରିଥିଲେ । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନବୀନ କହିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ କଟକ ନିକଟସ୍ଥ ନେତାଜୀ ସେତୁ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ ମେଟ୍ରୋ ମାର୍ଗ ନିର୍ମାଣ ହେବ । ଏହି ମାର୍ଗ ନନ୍ଦନକାନନ, ପଟିଆ, ବାଣୀବିହାର, ରେଳ ଷ୍ଟେସନ ଆଦି ସ୍ଥାନକୁ ସଂଯୋଗ କରିବ ।
ଇଟିଭି ଭାରତ, ଭୁବନେଶ୍ବର