ନୟାଗଡ଼/ଯାଜପୁର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଶୀତଦିନେ ଅଦିନିଆ ବର୍ଷା ଚାଷୀର ବର୍ଷକ ଯାକର ପରିଶ୍ରମକୁ ପାଣିରେ ପକାଇ ଦେଇଛି । କାରଣ ବର୍ତ୍ତମାନ ଧାନ ଅମଳ ହେବାର ସମୟ । ଧାନ କଟା ହୋଇ ବିଲରେ ପଡ଼ିଛି । ଆଉ ଏତିକି ବେଳେ ବର୍ଷା ଚାଷୀଙ୍କ ସୁନାର କ୍ଷେତକୁ ଉଜାଡ଼ି ଦେଇଛି ।
ପାଣିରେ ଭାସୁଛି ଧାନ:
2 ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଛି ନୟାଗଡ଼ ଜିଲ୍ଲାର ଧାନ କ୍ଷେତ । ବର୍ଷା ଲାଗି ରହିଥିବାରୁ ଜମିରେ କଟା ହୋଇ ପଡ଼ି ରହିଥିବା ଧାନ ଉଠାଇବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନି । ଏଭଳି ସ୍ଥିତିରେ ଫସଲ ପାଇଁ ଋଣ ଆଣି ଥିବା ଚାଷୀମାନେ, ଋଣ ଭାର ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି । ସେପଟେ ଅମଳ ହୋଇଥିବା ପାଚିଲା ଧାନକୁ ବର୍ଷା ଦାଉରୁ ରକ୍ଷା କରିବାକୁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଛି । ବାକି ଧାନକୁ ସାଇତି ରଖିବା ପାଇଁ ସ୍ଥାନ ନଥିବାରୁ ଜମି ହୁଡ଼ା, ରାସ୍ତା କଡ, ଖଳାରେ ପଡ଼ି ଓଦା ହୋଇ ନଷ୍ଟ ହେଉଛି । ଧାନ ସବୁ ବର୍ଷା ପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ।
ପନିପରିବା ଫସଲ ସ୍ଥିତି ସାଂଘାତିକ:
ସେପଟେ ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚାଷୀମାନେ ଚିନ୍ତାରେ ଅଛନ୍ତି । ୨ ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିହାରୁ ଅନେକ ସ୍ଥାନରେ ପାଚିଲା ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି । ଶହଶହ ଏକର ଚାଷ ଜମିରେ ଧାନ କଟା ହୋଇ ପଡ଼ି ରହିଥିବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଛି । ଜମିରୁ ପାଣି ଛାଡୁନଥିବାରୁ ବିଲରେ ଧାନ ଗଜା ହେବା ଭଳି ସମସ୍ୟା ଉପୁଜିବା ଆଶଙ୍କା ଦେଖା ଦେଇଛି । କେବଳ ଧାନ ଫସଲ ନୁହେଁ ପନିପରିବା ଫସଲ ସ୍ଥିତି ସାଂଘାତିକ । ବନ୍ଧାକୋବି, ଫୁଲକୋବି, ବିନସ, ବାଇଗଣ ସହ ବିରି, ମୁଗ, ଚଣା, କାନ୍ଦୁଲ ଭଳି ରବି ଫସଲ ନଷ୍ଟ ହୋଇଥିବାରୁ ସେଥିରୁ ଆଦାୟ ଆଶା ଛାଡି ଦେଇଛନ୍ତି ଚାଷୀ । ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଚାଷୀଙ୍କ ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା, ଅମଳ ଧାନ ଗଜା ହୋଇଯିବା ଭୟ ଏହା ମଧ୍ୟ ପଢ଼ନ୍ତୁ...ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ - CROP DAMAGED BY UNSEASONAL RAIN |
ସେପଟେ ଜିଲ୍ଲାର ଦଶପଲ୍ଲା, ଭାପୁର, ଖଣ୍ଡପଡା, ରଣପୁର, ଓଡ଼ଗାଁ, ନୂଆଗାଁ, ଗଣିଆ ଏବଂ ନୟାଗଡ଼ ବ୍ଲକର ଚାଷୀଙ୍କର ଏବେ ଶହ ଶହ ଏକର ଜମିରେ ପାଚିଲା ଧାନ କଟା ହୋଇ ପଡ଼ିରହିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ସୁନା ଫଳାଇଥିବା ଚାଷୀଙ୍କ ପାଇଁ ଏବେ ବିପଦ ମାଡ଼ି ଆସିଛି । ଲଗାଣ ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ ପଡ଼ିଛି । ଏବେ ଜମିରୁ ଧାନ ଫସଲ ଅମଳ ସମୟ ହୋଇଥିବାରୁ ଉତ୍ପାଦିନ ଫସଲକୁ ଜମିରେ ଏବଂ ଖଳାରେ ଜରି ପାଲ ଘୋଡାଇ ରଖିବା ପାଇଁ କୌଣସି ସହାୟତା ମିଳି ନଥିବା କହିଛନ୍ତି ଚାଷୀ ।
ଚାଷୀ ମୁଣ୍ଡରେ ଚଡକ:
ଅନ୍ୟପଟେ ଅଦିନିଆ ବର୍ଷାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ପଡ଼ିଛି। ବିଲରେ ପାଣି ଯୋଗୁ ଧାନ ଫସଲକୁ ଖଳାକୁ ନେବା ପାଇଁ ଚାଷୀଙ୍କ ପାଇଁ ଅସମ୍ଭବ ହେଇପଡ଼ିଛି । ଯାଜପୁର କୋରେଇ ବ୍ଲକ ଅମୃତିଆ ଗାଁରେ ଚାଷୀମାନେ ପ୍ରାୟତଃ 8 ଶହରୁ ଊର୍ଦ୍ଧ୍ବ ଏକ ଜମିରେ ସୋର୍ଣ୍ଣ, କନକ, ପୁଷ୍ପା, ସାଧନା, ସାବିତ୍ରୀ, ପଦ୍ମଜା ଆଦି ବିଭିନ୍ନ ରକମର ଧାନ ଚାଷ କରିଥିଲେ । ଚଳିତବର୍ଷ ଭଲ ଚାଷ ହେଇଥିଲେ ବି ଏହି ଲଗାଣ ବର୍ଷ ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ଅଧିକାଂଶ ବିଲରେ ଚାଷୀ ଧାନ ଫସଲ କାଟି ନଥିବା ବେଳେ ବର୍ଷା ଯୋଗୁ ପାଣି ଭିତରେ ଶୋଇଯାଇ ପଚିବା ଅବସ୍ଥାକୁ ଆସି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି ଅବସ୍ଥାରେ ଚାଷୀ ସରକାରୀ ସହାୟତାକୁ ଅନେକ ବସିଛି । ତେବେ ଖାଲି ଯାଜପୁର ଜିଲ୍ଲାର କୋରେଇ ନୁହେଁ 10ଟି ବ୍ଲକରେ ଏଭଳି ପରିସ୍ଥିତି ଥିବା ଦେଖିବାକୁ ମିଳିଛି । ତେବେ ଏହି ଗାଁର ସ୍ଥିତିକୁ ନେଇ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ।
ଇଟିଭି ଭାରତ, ନୟାଗଡ଼/ଯାଜପୁର