ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ରାଇସେନ ମୁର୍ମୁ । ୧୪ ବର୍ଷ ଚାକିରି ଥିଲେ ମଧ୍ୟ ପୋଲିସ ଡିଏସପି ପାହ୍ୟାରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି ରାଇସେନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିର ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ରାଇସେନ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନରେ ଆଜି ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ଅବସରପ୍ରାପ୍ତ ଡିଏସପି ରାଇସେନ ମୁର୍ମୁ । ରାଇସେନ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଅଧିବାସୀ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ରାଇସେନଙ୍କୁ ଉପଢୌକନ ଦେଇ ମାନସ ଦଳକୁ ସ୍ବାଗତ କରିଛନ୍ତି । ବିଜୁ ଜନତା ଦଳରେ ରାଇସେନଙ୍କ ଯୋଗଦାନ ଫଳରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ।
ଅଧିକ ପଢନ୍ତୁ- ବିଜେଡି ମିଶ୍ରଣ ପର୍ବ; ବିଜେପି ଛାଡି ଘର ବହୁଡିଲେ ରଞ୍ଜନ ପଲାଇ
ଏହା ମଧ୍ୟ ପଢନ୍ତୁ: BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି
ବିଜେଡ଼ିରେ ସାମିଲ ହେବା ପରେ ରାଇସେନ ମୁର୍ମୁ କହିଛନ୍ତି, ‘‘ମୟୂରଭଞ୍ଜରୁ ଏକ ଛୋଟିଆ ଗାଁ'ରୁ ଆସି ବଡ଼ ପଦକୁ ଯାଇଥିଲି । ପ୍ରାୟ ୨୫ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନ ଓ ପଦରେ କାର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଆହୁରି ପ୍ରାୟ ୧୫ ବର୍ଷ ଚାକିରି ଥିଲାବେଳେ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ବିଜେଡିରେ ସାମିଲ ହୋଇଛି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।’’
ମିଶ୍ରଣ ପର୍ବରେ ମୟୂରଭଞ୍ଜ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର