ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ଆରମ୍ଭ କରିଦେଇଛି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ । ନବୀନ ନିବାସରୁ ପ୍ରସ୍ତୁତ ହୋଇଛି ବିଜେଡିର ନିର୍ବାଚନ ରୋଡ ମ୍ୟାପ । କୋର କମିଟି ବୈଠକରେ ବିଜେପି ଦେଇଛି ରଣହୁଙ୍କାର । ରାଜ୍ୟରେ ଶକ୍ତି ଗୋଟାଉଥିବା କଂଗ୍ରେସ କହିଛି ଆମେ ବି ଅଛୁ ପ୍ରସ୍ତୁତ । 3 ପ୍ରମୁଖ ଦଳ ମୁଖ୍ୟତଃ ଟ୍ରେନିଂ, ଟାସ୍କ ଓ ଟ୍ରିଟମେଣ୍ଟ ଉପରେ ଦେଉଛନ୍ତି ଗୁରୁତ୍ବ ।
ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରାୟ ଅଢ଼େଇ ଘଣ୍ଟା ଧରି ପର୍ଯ୍ୟବେକ୍ଷକ ଓ ବିଜେଡି ସୁପ୍ରିମୋଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା, ମନ୍ଥନ ଓ ରଣନୀତି । ଜଣ ଜଣ କରି ପ୍ରତି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କଠାରୁ ନିର୍ବାଚନ ମଣ୍ଡଳୀର ସ୍ଥିତି ବାବଦରେ ପଚାରି ବୁଝିଥିଲେ ନବୀନ । ଏଯାବତ ପର୍ଯ୍ୟବେକ୍ଷକମାନେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ରଖିଥିଲେ । ସେହିପରି ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା । ନିର୍ବାଚନ ଆଗକୁ ଥିବାରୁ ପ୍ରତି ଜିଲ୍ଲା ପରିଷଦ ଜୋନରେ ହେବ ପଦଯାତ୍ରା କରାଯିବ । ପଦଯାତ୍ରାର ରୂପରେଖ ନେଇ ପର୍ଯ୍ୟବେକ୍ଷକଙ୍କ ମତାମତ ଲୋଡିଛନ୍ତି ବିଜେଡି ସୁପ୍ରିମ । ଏନେଇ ଚୂଡାନ୍ତ ରୂପରେଖ ଦଳ ପକ୍ଷରୁ ଖୁବଶୀଘ୍ର ଘୋଷଣା ହେବ ।
ଏହାବି ପଢନ୍ତୁ- Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!
ଦଳର ବାର୍ତ୍ତା ଓ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଖୁବଶୀଘ୍ର ଆରମ୍ଭ କରିବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ତାଲିମ ନେବେ ଦଳର ଦଳର ସକ୍ରିୟ ସଭ୍ୟ । ପ୍ରତି ପଞ୍ଚାୟତରୁ ଅନ୍ୟୁନ 4/5 ଜଣ କରି ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ 200 ସକ୍ରିୟ ସଭ୍ୟଙ୍କୁ ଦଳ ପ୍ରଶିକ୍ଷଣ ଦେବ । ଆସନ୍ତା ସପ୍ତାହକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ଛାମୁଆ ସଂଗଠନ ନେତା ଓ ମୁଖପାତ୍ରମାନେ ସେମାନଙ୍କୁ ତାଲିମ ଦେବେ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ସଫଳ କାର୍ଯ୍ୟକ୍ରମ, ଦଳର ନୀତି ଓ ଆଦର୍ଶ ବାବଦରେ ସେମାନଙ୍କୁ ବୁଝାଯିବ । ପ୍ରଶିକ୍ଷଣ ପାଇବା ପରେ ଏହି ସକ୍ରିୟ ସଭ୍ୟମାନେ ଜିଲ୍ଲା ପରିଷଦ ଜୋନ ଓ ପଞ୍ଚାୟତ ସ୍ତରକୁ ଯାଇ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ । ଏହି କାର୍ଯ୍ୟକ୍ରମର ନାଁ ‘ଟ୍ରେନର୍ସ ଟ୍ରେନିଂ’ ରଖାଯାଇଛି । ପ୍ରାୟ ମାସେରୁ ଦେଢ଼ ମାସ ଭିତରେ ଏହି କାର୍ଯ୍ୟକ୍ରମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଚଳିତ ମାସରୁ ହିଁ ବିଜେଡି ତା' ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ ରୂପ ଦେବ । ଘରେ ଘରେ ପହଞ୍ଚି ବିଜେଡି ସରକାରଙ୍କ ସଫଳତା ଓ ଯୋଜନାର କାର୍ଯ୍ୟକାରିତା ବାବଦରେ ବୁଝିବେ ଦଳର କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ସେଗୁଡ଼ିକର ତ୍ବରିତ ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏନେଇ ଲୋକଙ୍କ ଭିତରେ କିଭଳି ପ୍ରତିକ୍ରିୟା ରହିଛି, ସେ ନେଇ ନବୀନ ଜାଣିବାକୁ ଚାହିଁଥିଲେ ? ସମସ୍ୟାର ସମାଧାନ ହେଉଥିବାରୁ ଲୋକେ ଏଭଳି ପଦକ୍ଷେପରେ ବହୁତ ସନ୍ତୁଷ୍ଟ ବୋଲି ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି । ଲୋକଙ୍କ ପାଇଁ ଆଉ କ’ଣ କରିପାରିବା, ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମତାମତ ଲୋଡ଼ିଥିଲେ । ଭତ୍ତା ରାଶି ବୃଦ୍ଧି କରିବା, କ୍ୟାନସର, ଥାଲାସେମିଆ ଓ କିଡନୀ ରୋଗର ଚିକିତ୍ସା ପାଇଁ ବିଏସକେୱାଇରେ ଅଧିକ ସୁବିଧା ଦେବାକୁ ପ୍ରସ୍ତାବ ଦିଆଯାଇଛି ।
ଏହାବି ପଢନ୍ତୁ- Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି
ବୈଠକ ନେଇ ପର୍ଯ୍ୟବେକ୍ଷକ ତଥା ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଥିବାରୁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କ ସମେତ ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନିର୍ବାଚନରେ କେମିତି ଜୟଯୁକ୍ତ ହେବୁ ଏବଂ ଅଧିକରୁ ଅଧିକ ବିଜେଡି କ୍ୟାଣ୍ଡେଟ କେମିତି ଜିତିକି ଆସିବେ ସେଥିପାଇଁ ସମସ୍ତଙ୍କୁ ଟାର୍ଗେଟ ଦିଆଯାଇଛି । ଏହା ସହ ଆମ ସରକାରଙ୍କ ଦ୍ଵାରା କଣ ସବୁ ଜନହିତକାରୀ କାର୍ଯ୍ୟକ୍ରମ କରାଯାଉଛି ଏବଂ 5T ସଚିବଙ୍କ ଗସ୍ତ ପରେ କିଭଳି ଲୋକଙ୍କ ସମସ୍ୟା ସମାଧାନ ହେଉଛି ସେ ବିଷୟରେ ଆକ୍ଟିଭ ମେମ୍ବରଙ୍କୁ ଟ୍ରେନିଂ ଦେଇ ପ୍ରଚାର ପ୍ରସାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ନିର୍ବାଚନ ମଣ୍ଡଳୀରୁ ଆକ୍ଟିଭ ମେମ୍ବରଙ୍କୁ ସେପ୍ଟେମ୍ବର ମାସରେ ଟ୍ରେନିଂ ଦିଆଯିବ ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ଯେତେ ରଣନୀତି କଲେ ମଧ୍ୟ ତାହାର ପ୍ରଭାବ ପଡିବ ନାହିଁ । ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଦଳ ମଧ୍ୟ ଘରକୁ ଘର ପହଞ୍ଚିବା ଆରମ୍ଭ କଲାଣି । ବିଜେଡି ଓ ବିଜେପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ଲୋକ ଏକଥା ଜାଣିଲେଣି । ଲୋକସଭାରେ ପିନାକୀ ମିଶ୍ର ମଧ୍ୟ ପ୍ରମାଣିତ କରିଛନ୍ତି । ଏ ବାର୍ତା ଏବେ ଲୋକଙ୍କ ପାଖରେ ପହଞ୍ଚି ସାରିଲାଣି । ତେଣୁ କଂଗ୍ରେସ ଏବେ ନିଜର କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । କଂଗ୍ରେସ ନିଜର ପ୍ରଚାର କରୁଛି । ବିଜେଡି କିମ୍ବା ବିଜେପିର ଅପପ୍ରଚାର କରୁ ନାହିଁ । ଆମ ପ୍ରଚାରକୁ ଦେଖି ଉଭୟ ବିଜେଡି ଓ ବିଜେପି ଭୟଭୀତ ଅଛନ୍ତି । ବିଜେଡି 100 ଲୋକଙ୍କୁ ଟ୍ରେନିଙ୍ଗ ଦେଲେ କଂଗ୍ରେସ ମଧ୍ୟ 200 ଲୋକଙ୍କୁ ଟ୍ରେନିଙ୍ଗ ଦେବ । କଂଗ୍ରେସ 2024 ରେ କ୍ଷମତା ହାସଲ କରିବ । ସାଧାରଣ ଲୋକ ଏ ନେଇ ମନସ୍ଥ କରି ସାରିଛନ୍ତି । କଂଗ୍ରେସ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବ । ରାଜ୍ୟର ଯାହା ବିକାଶ ହୋଇଛି ତାହା କେବଳ କଂଗ୍ରେସ ସମୟରେ ହୋଇଛି । ବିଜେଡି ଗୋଟିଏ ମଧ୍ୟ ବଡ଼ ପ୍ରୋଜେକ୍ଟ କରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର