ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ । ଏଥିରେ ମୁତୟନ ଅଛନ୍ତି ମୋଟ 21 ଟି ଟିମ୍ । ମୋଟ 111 କର୍ମଚାରୀ ସାମିଲ ଅଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦମାନେ ସାମିଲ ଅଛନ୍ତି ।
ଏହି ଟିମ୍ ପୁରୀ ଜିଲ୍ଲାର ସାତପଡା, ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ଗଣନା କରୁଛନ୍ତି। ସେହିପରି ମୋଟ ପାଞ୍ଚୋଟି ରେଞ୍ଜରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ଚିଲିକା ମଙ୍ଗଳାଯୋଡିରେ 6ଟି ଟିମ୍ ଗଣନା କରୁଛି ।
ବର୍ତ୍ତମାନ ସୁଦ୍ଧା ଚିଲିକାରେ 200 ପ୍ରଜାତିର ଲକ୍ଷାଧିକ ବିଦେଶୀ ପକ୍ଷୀ ସମାଗମ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଏହି ଗଣନା କାର୍ଯ୍ୟରେ ପକ୍ଷି ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଜି ପ୍ରାୟ ଦିନ ଦୁଇଟା ସୁଦ୍ଧା ଏହି ଗଣନା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଚଳିତ ବର୍ଷ କେତେ ପ୍ରଜାତିର ପକ୍ଷୀ ନୂଆ କରି ଆସିଛନ୍ତି ଓ କେତେ ପକ୍ଷି କମିଛନ୍ତି ସେ ସବୁକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ପକ୍ଷୀ ବଢ଼ିବା ଓ କମିବାର କାରଣ ମଧ୍ୟ ଏଥିରୁ ବାହାର କରାଯିବ ବୋଲି ଟିମ୍ ଲିଡର କହିଛନ୍ତି । ସେହିପରି ଚିଲିକାରେ ପକ୍ଷି ଗଣନା ଚାଲୁଥିବାରୁ ଚିଲିକା ଭିତରକୁ ଆଜି ଦିନ ଦୁଇଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ