ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମର ସେ ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଜୁ ଏକ୍ସପ୍ରେସ ୱେ - ୧ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି । ଏହା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ ଗରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ । ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ନୂଆ ପ୍ରକଳ୍ପ (Green Field Project) । ଏହା ୪ଟି ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି, ଗଜପତିରେ ୪୭ କି.ମି, ରାୟଗଡାରେ ୧୫୮ କି.ମି ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ । ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ ଲାଗିବ । ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ । ବର୍ତ୍ତମାନ ଏହା ୪ ଘଣ୍ଟା ସମୟ ଲାଗୁଛି ।
ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ । ଯାହା ଦ୍ବାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି କମିଯିବ । ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ । ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ କରିଡର ସୃଷ୍ଟି ହୋଇପାରିବ । ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ । ଏହା ପରେ ୫ଟି ସଚିବ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି । ଜିରାଙ୍ଗ କଲେଜର ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଜିରାଙ୍ଗ କଲେଜରେ ଆସନ୍ତା ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ପିଲାଙ୍କ ସହ ଆଲୋଚନା କରି ସେ ନିଜ କଲେଜର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଛନ୍ତି । ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର