ଭୁବନେଶ୍ବର: ଦରମା ପାଉନାହାନ୍ତି ସ୍କୁଲ ଶିକ୍ଷକ । ରାଜଧାନୀ ଭୁବନେଶ୍ବର ସ୍ଥିତ ୟୁନିଟ-6 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ଦେଢ଼ ମାସ ହେଲା ଦରମା ମିଳୁନି । ବିଦ୍ୟାଳୟକୁ ଆସିଥିବା 3 ଲକ୍ଷ ଟଙ୍କା ଖର୍ଚ୍ଚ କରିନପାରିବାରୁ ସମସ୍ତଙ୍କର ଦରମା ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି । ବିଦ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ 8 ମାସରୁ ଅଧିକ ସମୟ ହେଲାଣି ଏହି ବିଦ୍ୟାଳୟରେ କେହି ବି ସ୍ଥାୟୀ ପ୍ରଧାନ ଶିକ୍ଷୟିତ୍ରୀ ନାହାନ୍ତି । ଯେଉଁ ଶିକ୍ଷୟତ୍ରୀ ବିଦ୍ୟାଳୟ ଦାୟିତ୍ବରେ ଥିଲେ, ସେ ଦୁଇ ମାସ ହେବ ଅବସର ନେଇସାରିଲେଣି ।
ଏଭଳି ସ୍ଥିତିରେ ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତିକରଣ ଏବଂ କ୍ରୀଡ଼ା ଭିତ୍ତିଭୂମି ବାବଦରେ 3ରୁ 4 ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଏଥିରେ ବିଦ୍ୟାଳୟର କେହି ହସ୍ତକ୍ଷେପ ନକରିବାରୁ ଉକ୍ତ ଟଙ୍କା କୌଣସି କାର୍ଯ୍ୟରେ ଲାଗିନଥିଲା । ଏନେଇ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟର ସମସ୍ତ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ଦରମା ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି । ଯାହାଫଳରେ ଛୋଟସ୍ତରର କର୍ମଚାରୀମାନେ ଦରମା ନପାଇ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଖୁବଶୀଘ୍ର ସେମାନଙ୍କୁ ଦରମା ମିଳିବ ବୋଲି କର୍ମଚାରୀମାନେ ଆଶା ପୋଷଣ କରିଛନ୍ତି ।
ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ପାଠାଗାର ଓ ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର ଆଦି ବ୍ୟବସ୍ଥା କରାଯାଇଛି । ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି । ଏହି ନୂତନ ତଥା ବ୍ୟାପକ ବ୍ୟବସ୍ଥା ସ୍କୁଲଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଗଢ଼ିବାରେ ବିଶେଷ ସହାୟକ ହୋଇପାରିବ ।
ଏହାମଧ୍ୟ ପଢନ୍ତୁ: ବିନା ଅନୁମତିରେ ସରକାରୀ ବିଦ୍ୟାଳୟରେ ଆୟୋଜିତ ହେଲା ନାଟକ, ଘଟଣାକୁ ନିନ୍ଦାକଲା ବିଜେପି
ସ୍କୁଲ ସ୍ତରରୁ ହିଁ ବୈଜ୍ଞାନିକ ସୃଷ୍ଟି କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ନୂତନ ଖସଡ଼ା ପ୍ରସ୍ତୁତ କରିଛି । 5T ସ୍କୁଲକୁ ଇନୋଭେସନ୍ ହବ୍ କରି ନୂଆ ନୂଆ ଯନ୍ତ୍ରାଂଶ ଓ ବୈଷୟିକ ପ୍ରଣାଳୀ ଆବିଷ୍କାର କରାଯିବ । ଏହା ବୈଜ୍ଞାନିକ ଆବିଷ୍କାରଠାରୁ ଭିନ୍ନ ରହିବ । ସ୍କୁଲରୁ ପିଲାମାନଙ୍କ ଭିତରେ ମେଧା ଓ ଆବିଷ୍କାର କରିବାର ଶକ୍ତିର ବିକାଶ ଦିଗରେ ସହାୟକ ହେବ ଇନୋଭେସନ୍ ହବ୍ ।
ଇଟିଭି ଭାରତ, ଭୁବନେଶ୍ବର