ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରେ ଗଡିବ ମେଟ୍ରୋ ଟ୍ରେନ । ଭୁବନେଶ୍ବର ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଭୁବନେଶ୍ବରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ପରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡିଏମଆରସି ରିପୋର୍ଟ ଦାଖଲ କରିଛି ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଶକ୍ତି ସଚିବ ନିକୁଞ୍ଜ ଧଳ, ଆଇଟି ସଚିବ ମନୋଜ ମିଶ୍ର, ନଗର ଉନ୍ନୟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପ୍ରସ୍ତୁତ କରିଥିବା ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମେଟ୍ରୋ ଟ୍ରେନ ମୋଟ ୨୬ କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୦ଟି ଷ୍ଟେସନ ରହିବ । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଲାଇନ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହୋଇ ତ୍ରିଶୂଳିଆ ଯାଏ ନିର୍ମାଣ ହେବ ।
ଏହାବି ପଢନ୍ତୁ- ଭୁବନେଶ୍ବର ମେଟ୍ରୋ ସେବା ପାଇଁ ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ, ବର୍ଷ ଶେଷ ସୁଦ୍ଧା କାମ ଆରମ୍ଭ
ଏହି ୨୬ କିଲୋମିଟର ମଧ୍ୟର ୨୦ଟି ଷ୍ଟେସନ ରହିବ । ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର ଓ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଯିବ ।
ଏହାବି ପଢନ୍ତୁ- Metro Project: ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି, କଟାକ୍ଷ କଲେ ଧର୍ମେନ୍ଦ୍ର
ଗତ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପକୁ ନେଇ ଦ୍ରୁତ ଗତିରେ କାମ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ପ୍ରଥମେ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଦ୍ବିତୀୟ ପର୍ଯ୍ୟାୟରେ କଟକ ସହର, ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରିବହନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶାରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଛି । ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛି ।
ଏହାବି ପଢନ୍ତୁ- Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା
୫-ଟି ଉପକ୍ରମ ଅଧୀନରେ ରାଜ୍ୟ ସରକାର ଏହି ପ୍ରକଳ୍ପ ହାତକୁ ନେଇଛନ୍ତି । ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ପର୍ଯ୍ୟଟନ, ଆର୍ଥିକ ଓ ସାମାଜିକ ଦୃଷ୍ଟି କୋଣରୁ ମେଟ୍ରୋ ଟ୍ରେନ ପ୍ରକଳ୍ପ ରାଜ୍ୟ ପାଇଁ ସମୃଦ୍ଧିର ପଥ ଉନ୍ମୁକ୍ତ କରିବ । ସହର ସମନ୍ବୟ କମିଟିରେ ପରିବହନ ବିଭାଗ, ୱାଟକୋ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ, ବିଏସଏନଏଲ, ଶକ୍ତି ବିଭାଗ, ଗେଲ, ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ବିଡିଏ, ଏନଏଚଏଆଇ, କ୍ରୁଟ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଇଡକୋ, ବିଏମସି ଓ କମିସନରେଟ ପୁଲିସର ବରିଷ୍ଠ ଅଧିକାରକାରୀମାନେ ସାମିଲ ଅଛନ୍ତି । ଏହି ବିଭାଗ ଗୁଡ଼ିକ ଜଣେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରିଛନ୍ତି । ଏମାନେ ଆଗକୁ ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଚଳିତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାର ଭୁବନେଶ୍ବର ମେଟ୍ରୋ ରେଳ ନିଗମ ସ୍ଥାପନ ନେଇ ବିଜ୍ଞପ୍ତି ଜାରି କରିଥିଲେ । ଏହା ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର ମଧ୍ୟ ନିଯୁକ୍ତ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର