ଭୁବନେଶ୍ବର: କାଳବୈଶାଖୀ ଯୋଗୁଁ ବର୍ଷା ପରେ ରାଜ୍ୟରେ ଆଜି ସାମାନ୍ୟ ଖରା କମିଥିବା ବେଳେ ଏବେ ବି ଜାରି ରହିଛି ଗୁଳୁଗୁଳି । ପୁଣି ତିନିଦିନ ପରେ ତାପମାତ୍ରା ବୃଦ୍ଧି ପାଇବ । ଵିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦର ସ୍ତର ବୃଦ୍ଧି ପାଇବା ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ସକାଳେ ଖରା ଓ ଅପରାହ୍ନରେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ରୁ ୪୫ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ।
ଏହା ବି ପଢନ୍ତୁ- ପୁଣି ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ୨ ବୋଝିଆ ଗୁରୁତର
ଗତ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଜଗତସିଂପୁରର କୁଜଙ୍ଗରେ ସର୍ବାଧିକ ୪୯.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ତାତି ସହ ଗୁଳୁଗୁଳି ଲାଗି ରହିଥିବା ବେଳେ ସମ୍ବଲପୁରରେ ସର୍ବାଧିକ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୨.୨ ଡିଗ୍ରୀ ସେଲସିୟସ, ବଲାଙ୍ଗୀରରେ ୪୨.୦ ଡିଗ୍ରୀ ସେଲସିୟସ ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ରାଜଧାନୀ ଭୁବନେଶ୍ବରରେ ଗତକାଲି ୯.୩ ମିମି ବର୍ଷା ହେବା ସତ୍ତ୍ବେ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ରହିଥିଲା ।
୨୯ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଅଧିକ ଖରା ଅନୁଭୂତ ହେବ । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବା ସହିତ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଚଳିତ ବର୍ଷ ବିଳମ୍ବ ହେବ ମୌସୁମୀ । ଜୁନ ୪ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିବାରୁ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଉଛି । ଜୁନ ୧ ତାରିଖ ସୁଦ୍ଧା କେରଳକୁ ମୌସୁମୀ ଛୁଇଁଥାଏ । ଏଣୁ ସପ୍ତାହେ ବିଳମ୍ବ ରହିଛି ମୌସୁମୀ ।
ଇଟିଭି ଭାରତ, ଭୁବନେଶ୍ବର