ଭୁବନେଶ୍ବର: ଫେବୃଆରୀ ମାସରୁ ରାଜଧାନୀ ଭୁବନେଶ୍ବରରେ ବଢିଲାଣି ପାରଦ । ଏଠାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୫ଡିଗ୍ରୀ ଅଧିକ ରହିଛି । ଶୁକ୍ରବାର ରାଜଧାନୀରେ ୩୭.୪ ଡ଼ିଗ୍ରୀ ତାପମାତ୍ରା ଛୁଇଁଛି । ଫେବୃଆରୀ ଶେଷ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦ ଛୁଇଁବ ବୋଲି ଏହି ରେକର୍ଡକୁ ଦେଖି ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି । ଅନ୍ୟପଟେ ଶୁକ୍ରବାର ରାଜଧାନୀରେ ତାପମାତ୍ରା ୭ବର୍ଷର ରେକର୍ଡ ଭାଙ୍ଗିଛି ।
ଫେବୃଆରୀ ମାସରୁ ତତଲା କଡେଇରେ ଭାଜି ହେଲାଣି ରାଜଧାନୀ । ଗତକାଲି ରାଜଧାନୀର ଦିନ ତାପମାତ୍ରା ୭ ବର୍ଷର ରେକର୍ଡ ଭାଙ୍ଗିଛି । କାରଣ ଏହି ସମୟରେ ଭୁବନେଶ୍ବରରେ ସାଧାରଣତଃ ୩୪ ଡ଼ିଗ୍ରୀ ତାପମାତ୍ରା ରହିଥାଏ । ଫେବୃଆରୀ ମାସର ଶେଷ ସପ୍ତାହ ବେଳକୁ ଅଧିକ ତାପମାତ୍ରା ଅନୁଭୂତ ହୁଏ । ହେଲେ ଏବେଠୁ ଦିନ ତାପମାତ୍ରା ବୃଦ୍ଧି ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ତଥ୍ୟ ଅନୁସାରେ:- ୨୧ ଫେବୃଆରୀ ୨୦୧୬: ୪୦.୯ ଡ଼ିଗ୍ରୀ, ୧୨ ଫେବୃଆରୀ ୨୦୧୭: ୩୭.୦ ଡ଼ିଗ୍ରୀ, ୩ ଫେବୃଆରୀ ୨୦୧୮: ୩୮.୨ ଡ଼ିଗ୍ରୀ, ୨୩ ଫେବୃଆରୀ ୨୦୧୯: ୩୯.୪ ଡ଼ିଗ୍ରୀ, ୧୯ ଫେବୃଆରୀ ୨୦୨୦: ୩୩.୮ ଡ଼ିଗ୍ରୀ
୨୭ ଫେବୃଆରୀ ୨୦୨୧: ୪୦.୬ ଡ଼ିଗ୍ରୀ, ୨୮ ଫେବୃଆରୀ ୨୦୨୨: ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏହା ବି ପଢନ୍ତୁ- ଆଲୋଚନା ଚକ୍ର ପାଲଟିଲା ରଣକ୍ଷେତ୍ର, ଉତ୍କଳ ବିଶ୍ବବିଦ୍ୟାଳୟରେ JNU ପ୍ରଫେସରଙ୍କୁ ଆକ୍ରମଣ
ଗତକାଲି ଏସବୁ ରେକର୍ଡକୁ ଭାଙ୍ଗି ୩୭.୪°ଡିଗ୍ରୀ ସହ ଭୁବନେଶ୍ଵର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆଗକୁ ମଧ୍ୟ ଦିନ ତାପମାତ୍ରା ଅର୍ଥାତ ତାତି ବଢ଼ିବା ସହ ଫେବୃଆରୀ ଶେଷ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆଜି ଦିନ ତାପମତ୍ରା ୩୫ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ୧୫ ତାରିଖରୁ ବଢିବ ଆହୁରି ତାପମାତ୍ରା । ସ୍ଵାଭାବିକଠାରୁ ୩ରୁ ୫ଡିଗ୍ରୀ ବୃଦ୍ଧି ହେବ ଦିନ ତାପମାତ୍ରା ବୋଲି କହିଛି । ଅହେତୁକ ତାପମାତ୍ରା ବୃଦ୍ଧିର କାରଣ ହେଉଛି ଭୁବନେଶ୍ଵରର ସହରୀକରଣ ଏବଂ ବର୍ଷାର ଅଭାବ ବୋଲି ବିଶେଷଜ୍ଞଙ୍କ ମତ ରଖିଛନ୍ତି । ଏବେଠୁ ସ୍ମାର୍ଟସିଟି ଭୁବନେଶ୍ବରରେ ତାପମାତ୍ରା ବୃଦ୍ଧି ପାଇବା ପରେ ସହରବାସୀ ଆଗାମୀ ଦିନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର