ଖୋର୍ଦ୍ଧା: ବେଗୁନିଆ ଥାନା ଅଞ୍ଚଳରେ ଗୋଚାଲାଣ ରାକେଟ ସକ୍ରିୟ ଥିବାବେଳେ, ଗୋ ମାଂସ ଭର୍ତ୍ତି ଟ୍ରକକୁ ଜବତ କରିବାରେ ସଫଳ ହୋଇଛି ବେଗୁନିଆ ପୋଲିସ । ଶୁକ୍ରବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ କଡ଼ବ ନିକଟରୁ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ବେଗୁନିଆ ଥାନା ଆଖ ପାଖ ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ରାକେଟ ସକ୍ରିୟ ରହିଥିବାବେଳେ ଗୋ ମାଂସ ଭର୍ତ୍ତି ଟ୍ରକ ଜବତ ହେବାପରେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ଶୁକ୍ରବାର ବିଳମ୍ବିତ ରାତ୍ରିରେ ବେଗୁନିଆ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ କଡ଼ବ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଏକ ଆଇଚର ଟ୍ରକକୁ ଅଟକାଇଥିଲା ବେଗୁନିଆ ପୋଲିସ । ଟ୍ରକଟିକୁ ଯାଞ୍ଚ କରିବା ପରେ ସେଥିରେ ୪ଟନରୁ ଉର୍ଦ୍ଧ୍ବ ଗୋ ମାଂସ ଥିବା ଜାଣିବାକୁ ପାଇଥିଲା ପୋଲିସ । ତାପରେ ଟ୍ରକଟିକୁ ଥାନାକୁ ଆଣି ଗାଡ଼ିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ: କଟକରେ ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଚିହ୍ନଟ
ତଦନ୍ତରୁ ଏହି ଗୋମାଂସ ଆଠଗଡ଼ ତିଗିରିଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚାଲାଣ ହେଉଥିବା ଜଣାପଡିଛି । ଏହି ଘଟଣାରେ ଗିରଫ ଡ୍ରାଇଭର ଜଣକ ମହାରାଷ୍ଟ୍ର ରାଜ୍ୟର ଇରଫାନ ମହମଦ ଶେଖ ଓ ତା ସହଯୋଗୀ ନିଆଳି ଅଞ୍ଚଳର ଶେଖ ଆୟୁବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ଜବତ ଗୋ ମାଂସର ନମୁନା ବେଗୁନିଆ ପ୍ରାଣୀ ଚିକିତ୍ସକଙ୍କ ଦ୍ୱରା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଓୟୁଏଟିକୁ ପଠାଯାଇଛି । ସେହିପରି ଜବତ ମାଂସକୁ ବେଗୁନିଆ ନିକଟରେ ଥିବା ଲେମ୍ବୁ ବଗିଚାରେ ଭିଡ଼ିଓଗ୍ରାଫି କରାଯାଇ ପୋତାଯିବାର ବ୍ୟବସ୍ଥା କରାଯାଇଥିବା ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଜବତ ଟ୍ରକରେ ଲାଗିଥିବା ନମ୍ବର ଜାଲ୍ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଏନେଇ ସ୍ଥାନୀୟ ସମାଜସେବୀ କହିଛନ୍ତି ଯେ, "ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଗୋରୁ ଚାଲାଣ ସକ୍ରିୟ ରହିଥିବାବେଳେ ବର୍ତ୍ତମାନ ଗୋମାଂସ ଚାଲାଣ ରାକେଟ ସକ୍ରିୟ ହୋଇଛି । ଏହାଠାରୁ ଅସାମାଜିକ କଥା ଆଉ କିଛି ନାହିଁ । ଆମେ ବାରମ୍ବାର ପୋଲିସ ପ୍ରଶାସନକୁ ଖବରଦେବାପରେ ମଧ୍ୟ ଚୁପ୍ ବସିଛି ପୋଲିସ ପ୍ରଶାସନ । ଏଥିରେ ପ୍ରଶାସନର ହାତ ରହିଛି । ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"
ଇଟିଭି ଭାରତ, ଖୋର୍ଦ୍ଧା