ଭୁବେନଶ୍ବର: ସରସ୍ବତୀ ମହାଭାଗେ ବିଦ୍ୟେ କମଳଲୋଚନେ.... ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ... ଆଜି ପବିତ୍ର ବସନ୍ତପଞ୍ଚମୀ ବା ଶ୍ରୀଞ୍ଚମୀ । ଆଜି ମା' ସରସ୍ବତୀଙ୍କୁ ଆରଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ସ୍କୁଲ, କଲେଜ ଓ ଅନ୍ୟାନ ଶିକ୍ଷାନୁଷ୍ଠାନରେ ମା'ଙ୍କର ସ୍ବତନ୍ତ୍ର ପୂଜା ହୋଇଛି ।
ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଏ । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ବତୀ । ବାକ୍ୟର ଦେବୀ ବାଗଦେବୀ, ବାଣୀ, ଶାରଦା ।
ମା'ଙ୍କୁ ଆରଧନା କରିଛନ୍ତି ବିଦ୍ୟାର୍ଥୀ । ପ୍ରଭାତରୁ ଉଠି ମା' ପୂଜା ପାଇଁ ସରଞ୍ଜାମ ଯୋଗାଡ କରି ପୂଜା କରିଛନ୍ତି । ବିଦ୍ୟା ସରସ୍ବତୀଙ୍କ ସ୍ବରୁପ ଓ ଶକ୍ତି । ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନଥାନ୍ତି । ମା'ଙ୍କ ଆଶୀର୍ବାଦ ଥିଲେ ଜୀବନର ସବୁ ପରୀକ୍ଷାରେ ସଫଳତା ମିଳେ । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି ହୋଇଥାଏ । ସରସ୍ବତୀଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ମାଆଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।
ଏହା ବି ପଢନ୍ତୁ...ବାଲୁକାକଳାରେ ବସନ୍ତ ପଞ୍ଚମୀ ଶୁଭେଚ୍ଛା
କଣ କହେ ପୁରାଣ: ପୁରାଣ ଅନୁସାରେ ଏକଦା ବ୍ରହ୍ମା ସମଗ୍ର ବିଶ୍ବ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ବ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥା ପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ବତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସେ ହିଁ କରିପାରିବେ । ଏହା ସହିତ ବ୍ରହ୍ମା ନିଜ କମଣ୍ଡଳରୁ ପୃଥିବୀପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ ।
ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ବରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ସକ୍ରିୟ ହୋଇଉଠିଥିଲେ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ । ସେବେଠାରୁ ବସନ୍ତ ପଞ୍ଚମୀ ତିଥିରେ ମା' ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଏ ।
ଇଟିଭି ଭାରତ, ଭୁବନେଶ୍ବର