ଭୁବନେଶ୍ବର: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ବା ଏଟିଏଲସିର ୪୪ତମ ପରିଚାଳନା ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ବରେ ଅନୁସୂଚିତ ଜାତି ଓ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ବୈଠକ ବସିଛି । ଏଥିରେ ବିଭାଗୀୟ କମିଶନର ରୂପା ରୋଶନ ସାହୁ, ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ତଥା ଏଟିଏଲସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ଥିଲେ । ବୈଠକରେ ଏକାଡେମୀର ପୁନର୍ବିନ୍ୟାସ ସମେତ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଉପରେ ଚର୍ଚ୍ଚା କରାଯାଇ ବିଭିନ୍ନ ପ୍ରସ୍ତାବର ସୁପାରିଶ କରାଯାଇଛି ।
![ଏଟିଏଲସିର ପରିଚାଳନା ସଂସଦ ବୈଠକ](https://etvbharatimages.akamaized.net/etvbharat/prod-images/18-07-2023/od-bbsr-06-st-sc-devlopment-7209787_17072023231117_1707f_1689615677_581.jpg)
ଏଥିରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର କାର୍ଯ୍ୟକାରିତାକୁ ସୁଦୂର ପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା, ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ଏକାଡେମୀର ଏକ ସ୍ଥାୟୀ କାର୍ଯ୍ୟାଳୟ ସହ ଗବେଷଣା, ପ୍ରଶିକ୍ଷଣ ତଥା ଭାଷା ଲାବରେଟୋରୀ ପ୍ରତିଷ୍ଠାର ଆବଶ୍ୟକତାକୁ ବିଚାରକୁ ନେଇ ଭୁବନେଶ୍ବରରେ ଅନୁନ୍ୟ ୫ ଏକର ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ସୁପାରିଶ କରାଯାଇଛି । ଏହି ଜମିରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ଏକ ରାଜ୍ୟସ୍ତରୀୟ ଜନଜାତି କଳାବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା ହୋଇପାରିବ ।
![ଏଟିଏଲସିର ପରିଚାଳନା ସଂସଦ ବୈଠକ](https://etvbharatimages.akamaized.net/etvbharat/prod-images/18-07-2023/od-bbsr-06-st-sc-devlopment-7209787_17072023231117_1707f_1689615677_1093.jpg)
ଏଠାରେ ଜନଜାତି ଭାଷା, ସଂସ୍କୃତିର ଗବେଷଣା ସମେତ ବୈଷୟିକ ଜ୍ଞାନ ବ୍ୟବହାର ଦ୍ବାରା ପ୍ରକାଶିତ ପ୍ରକାଶନଗୁଡ଼ିକର ଏକ ଡିଜିଟାଲ ଅଭିଲେଖାଗାର ପ୍ରତିଷ୍ଠା ହୋଇପାରିବ । ଏହା ଜନଜାତିଙ୍କ ଜୀବନଶୈଳୀ, ସାହିତ୍ୟ, ସଂସ୍କୃତି ପ୍ରଚାର ଓ ପ୍ରସାର ସମେତ ଏକ ପ୍ରକାଶନ ସଂସ୍ଥା ରୂପେ ଉଭା ହେବ । ଜନଜାତି ସଂସ୍କୃତିର ବ୍ୟାଖାନ ସମୂହକୁ ପ୍ରଦର୍ଶିତ କରିବା ପାଇଁ ବିଭାଗ ଅଧିନସ୍ଥ ୧୦୦ଟି ବିଦ୍ୟାଳୟରେ ସଂଗ୍ରହାଳୟ ସ୍ଥାପନା ପାଇଁ ଆର୍ଥିକ ଅନୁଦାନ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି । ଏକାଡେମୀର ପୁନର୍ବିନ୍ୟାସ ମାଧ୍ୟମରେ ଜନଜାତି ଭାଷା, ସଂସ୍କୃତି, ସାହିତ୍ୟ, କଳା, ଭାସ୍କାର୍ଯ୍ୟ ଉପରେ ଉଚ୍ଚତର ଗବେଷଣା ତଥା ଡିଜିଟାଇଜେସନ କରାଯିବା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଇଛି । ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
![ଏଟିଏଲସିର ପରିଚାଳନା ସଂସଦ ବୈଠକ](https://etvbharatimages.akamaized.net/etvbharat/prod-images/18-07-2023/od-bbsr-06-st-sc-devlopment-7209787_17072023231117_1707f_1689615677_486.jpg)
ଏଥିସହ ପ୍ରତ୍ୟେକ ଜନଜାତି ବହୁଳ ବ୍ଲକରେ ଭାଷା ପ୍ରୟୋଗଶାଳା ପ୍ରତିଷ୍ଠା କରାଯାଇ ଜନଜାତି ଭାଷାର ସଂରକ୍ଷଣ ଓ ସମୃଦ୍ଧି ସହ ଜନଜାତିଙ୍କ ସଂସ୍କୃତି, ଭାଷା ଉପରେ ଉଚ୍ଚତର ଗବେଷଣା କରୁଥିବା ଗବେଷକଙ୍କ ପ୍ରୋତ୍ସାହନ ଲାଗି ଗବେଷଣା ବୃତ୍ତି ପ୍ରଚଳନ ନିମନ୍ତେ ପଦକ୍ଷେପ ନିଆଯିବ । ବୈଠକରେ ଜନଜାତି ସ୍ବତନ୍ତ୍ରତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ ପ୍ରକାଶନ ଉପରେ ଗବେଷଣା ସହ ପ୍ରାମାଣିକ ପୁସ୍ତିକା ପ୍ରକାଶନ ଉପରେ ଗୁରୁତ୍ବ ଦିଆଯିବା ପାଇଁ ମଧ୍ୟ ସୁପାରିଶ କରାଯାଇଛି । ଜାତୀୟ ଅନୁସୂଚିତ ଜନଜାତି କମିଶନର ନିର୍ଦ୍ଦେଶକ ଡ. ଜୟନ୍ତ ଜନାର୍ଦ୍ଦନ ଶରଦ, ଜନଜାତି ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇଙ୍କ ସମେତ ପରିଚାଳନା ସଂସଦର ସଭ୍ୟା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ସଭ୍ୟ ମେଦିନୀଧର ଜାନୀ, ଗୁଲାବ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟଙ୍କ ସମେତ ଏସସିଏସଟିଆରଟିଆଇ ଓ ଏଟିଏଲସିର ବହୁ ପଦାଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର