ଭୁବନେଶ୍ବର: ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଜଣାପଡ଼ିବା ପରେ ଗତକାଲି ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ । କିଛି ଦଲାଲ ଗୋଷ୍ଠୀ ପ୍ରଶ୍ନପତ୍ର ଲିକ୍ କରି ଆଶାୟୀମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ । ପୁଣି ପରୀକ୍ଷା ହେବାକୁ ଥିବା ବେଳେ ଏହାର ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । ଏ ନେଇ OSSC କାର୍ଯ୍ୟାଳୟ ସାମୁଖରେ ମୁଣ୍ଡିଆ ମାରି ଖାଲି ପାଦରେ ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ । ତୁରନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାତ୍ରା କରିଛନ୍ତି ।
ଆଶାୟୀଙ୍କ କହିବା କଥା ହେଉଛି ଯଦି ଥରେ ପ୍ରଶ୍ନପତ୍ର ଲିକ୍ ହୋଇସାରିଛି, ତେବେ ପୁଣି ଥରେ କାହିଁକି ନ ହୋଇପାରିବ । ପ୍ରଶ୍ନପତ୍ର ଯୋଗାଇବା ଲାଗି ଦଲାଲମାନେ ପରୀକ୍ଷାର୍ଥୀଙ୍କଠାରୁ ୮ରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ନେଇଛନ୍ତି । ଏହାର ଜବାବ ଦେବା ଲାଗି ପରୀକ୍ଷାର୍ଥୀମାନେ OSSC ଚେୟାରମ୍ୟାନ ଅଭୟଙ୍କୁ ଭେଟିବା ଲାଗି କାର୍ଯ୍ୟାଳୟ ନିକଟକୁ ଆସିଥିଲେ । ମାତ୍ର ତାଙ୍କୁ ଭେଟିବା ଲାଗି ଅନୁମତି ନ ଦିଆଯିବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସେମାନେ । କମିଶନ ଦେଖା ନକରିବାରୁ ଖାଲି ପାଦରେ ପରୀକ୍ଷାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଚାଲି ଚାଲି ବାହାରିଛନ୍ତି ।
ଏହା ବି ପଢନ୍ତୁ- ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା OSSC, ଜାଣନ୍ତୁ କେବେ ହେବ ପରୀକ୍ଷା
ତେବେ ସେମାନଙ୍କର ଗୋଟିଏ ଦାବି ରହିଛି ଯେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନଙ୍କ ନାମକୁ ଲୋକଲୋଚନକୁ ଅଣାଯାଉ। ଏହାସହ ପୁନଃ ସେପ୍ଟେମ୍ବର ୩ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାରେ କିଭଳି ଭାବରେ ସ୍ବଚ୍ଛତା ଅବଲମ୍ବନ କରାଯିବ ସେନେଇ ଦାବି ମଧ୍ୟ କରିଛନ୍ତି ଚାକିରି ଆଶାୟୀ । ଯେଉଁ ଅଧିକାରୀମାନେ ଏହି ପ୍ରଶ୍ନପତ୍ର ଲିକ ଘଟଣାରେ ସମ୍ପୂର୍ଣ୍ଣ ରୂପେ ସାମିଲ ରହିଛନ୍ତି ତାଙ୍କ ନାମ ସାମ୍ନାକୁ ଆସିବା ଆବଶ୍ୟକ। ଏହାସହ ସେହି ଅଧିକାରୀଙ୍କ ବିରୋଧରେ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିି ଆଶାୟୀ ।
ସୂଚନା ଥାଉ କି ଗତକାଲି ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କରିଛି OSSC। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । ତେବେ ଏହି ପରୀକ୍ଷାକୁ ନେଇ କିଛି ଜାଲିଆତି ହୋଇଥିବା ଅଭିଯୋଗ ଆସିଥିଲା । ଅନୁସନ୍ଧାନ ପରେ ସତ୍ୟ ପଦାକୁୁ ଆସିବା ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପାଇଁ ଆଶାୟୀମାନଙ୍କଠାରୁ ପ୍ରଶ୍ନପତ୍ର ପାଇଁ ପାଖାପାଖି ୮ ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା ବୋଲି ଅଭିଯୋଗ ଆସିଥିଲା । ଏହି ପ୍ରଶ୍ନପତ୍ର ଲିକ ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ବିଶେଷ ଭାବରେ ଅଭିଯୁକ୍ତମାନେ ହେଉଛନ୍ତି ଓଡ଼ିଶା, ବିହାର ଏବଂ ଆନ୍ଧ୍ରପ୍ରଦେଶର ।
ଇଟିଭି ଭାରତ, ଭୁବନେଶ୍ବର