ଭୁବନେଶ୍ବର: ଓଡ଼ିଶାରେ ଆୟୋଜିତ ହେଉ ପ୍ରବାସୀ ଭାରତୀୟ ଦିବସ । କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ସମେତ ଭାରତୀୟ ସାମିଲ ହୁଅନ୍ତୁ । ଏହାଦ୍ବାରା ରାଜ୍ୟରେ ସିଧାସଳଖ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଛନ୍ତି ପ୍ରବାସୀ ଓଡ଼ିଆ ତଥା ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ ପ୍ରହରାଜ । ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମରେ ବିଦେଶରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆମାନେ ଭାଗ ନେଇଛନ୍ତି । ଲଣ୍ଡନ, ମିଆଁମାର, ବାହାରିନ୍ ଓ ଅନ୍ୟାନ୍ୟ ଦେଶରୁ ପ୍ରବାସୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଦୁବାଇ, ଓମାନ୍, ସାଉଦିଆରବ ଭଳି ଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନଙ୍କ ପାଇଁ ଦେବଦୂତ ସାଜିଥିବା ଅରୁଣ ପ୍ରହରାଜ ମଧ୍ୟ ଏଥିରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ।
ଆଗାମୀ ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ କରିବା ପାଇଁ ଅରୁଣ ପ୍ରହରାଜ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ପ୍ରବାସୀ ଓଡ଼ିଆ ତଥା ଭାରତୀୟଙ୍କୁ ସାମିଲ ହେବାର ସୁଯୋଗ ମିଳିବ । କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଓଡ଼ିଶାରେ ସିଧାସଳଖ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ଏହାସହିତ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବହୁ ପୁଞ୍ଜି ନିବେଶର ସୁଯୋଗ ମିଳିବାର ଆଶା କରାଯାଇପାରିବ ବୋଲି ଅରୁଣ କହିଛନ୍ତି । ପ୍ରକାଶଥାଉ କି, ଅରୁଣ ପ୍ରହରାଜ ୨୦୨୩ ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: BSKYରେ ଠକାମି ବା ଜାଲିଆତି କଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ସଚିବ
ପ୍ରବାସୀ ଭାରତୀୟ ଦିବସରେ ୬୮ଟି ଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନଙ୍କୁ ଇନ୍ଦୋର ବିମାନ ବନ୍ଦରରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ଭବ୍ୟ ସ୍ବାଗତ କରାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଳାୟ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା ଏକ ଗ୍ଲୋବାଲ ଗାର୍ଡେନରେ ପ୍ରବାସୀ ଭାରତୀୟମାନେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଛନ୍ତି । ବାହାରିନ୍ ଦେଶ ତରଫରୁ ଅରୁଣ ପ୍ରହରାଜ ମଧ୍ୟ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ସମ୍ମାନିତ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ତାଙ୍କୁ ସମ୍ମାନିତ କରିଥିବା ସୂଚନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କ ସହ ମିଶି ପ୍ରବାସୀ ଓଡ଼ିଆମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର