ଭୁବନେଶ୍ବର: ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ । ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍ ଆସୋସିଏସନ୍ ପକ୍ଷରୁ ଏହି ବିଶାଳ ରାଲିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ସମୂହ ଆନ୍ଦୋଳନ କରିବା ସହ ୧ ଲକ୍ଷରୁ ଊର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଅଙ୍ଗନବାଡ଼ି ୱାର୍କର୍ସ୍ ଆସୋସିଏସନ୍ର ସଭାପତି ସୁମିତ୍ରା ମହାପାତ୍ର କହିଛନ୍ତି, ସରକାର ଚେତାବନୀ ଦେଇଥିଲେ ଯିଏ ଆନ୍ଦୋଳନକୁ ଯିବ ତାକୁ ବହିଷ୍କାର କରାଯିବ, ସସପେଣ୍ଡ କରାଯିବ ଏହାକୁ ଚାଲେଞ୍ଜ କରି ୩୦ହଜାର ଅଙ୍ଗନବାଡ଼ି କର୍ମୀ ଏକାଠି ହୋଇଛନ୍ତି । ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀମାନ୍ୟତା ଦିଅନ୍ତୁ ନଚେତ ଜୋରଦାର ଆନ୍ଦୋଳନ ହେବ ।
ଏଥିସହ ବିଭିନ୍ନ ଦାବି ନେଇ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍ ଆସୋସିଏସନ୍ (All Odisha Anganwadi Workers Association) । ଏଥିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ତେବେ ସେମାନଙ୍କର ରହିଥିବା ବିଭିନ୍ନ ଦାବି ମଧ୍ୟରୁ ପ୍ରମୁଖ ଦାବି ଗୁଡ଼ିକ ହେଉଛି ୨୦୧୮-୧୯ରେ ଯେଉଁ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାର ବାହାର କରିଦେଇଥିଲେ, ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ସମସ୍ତଙ୍କୁ ସରକାରୀ ମାନ୍ୟତା ଦିଆଯାଉ । ଯଦି ସରକାରୀ ମାନ୍ୟତା ଦିଆନଯିବ, ତେବେ ବିଧିବଦ୍ଧ ଭାବରେ ୧୮ ହଜାର ଟଙ୍କା କର୍ମୀମାନଙ୍କୁ ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ଦିଆଯାଉ ।
ସେହିଭଳି ଯେତେବେଳେ କୌଣସି ଅଙ୍ଗନବାଡି କର୍ମୀ ଅବସର ନେଉଛନ୍ତି, ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ସହିତ ପ୍ରତି ମାସରେ ୫ ହଜାର ଟଙ୍କା ପେନ୍ସନ୍ ଦେବାକୁ ଦାବି କରିଛନ୍ତି । ଅଙ୍ଗନବାଡ଼ି ୱାର୍କର୍ସ୍ ଆସୋସିଏସନ୍ର ସଭାପତି କହିଛନ୍ତି, "ଯେଉଁଠାରେ ମିନି ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ସେମାନଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ସରକାର ନିଯୁକ୍ତ କରାନ୍ତୁ । ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଏବଂ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ।"
ତେବେ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ସରକାର ଏହି ଦାବି ଗୁଡ଼ିକ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ସମସ୍ତେ ଆନ୍ଦୋଳନ କରିବା ସହ ୧ ଲକ୍ଷରୁ ଊର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ ।
ଇଟିଭି ଭାରତ, ଭୁବନେଶ୍ବର