ଭୁବନେଶ୍ବର: ଗ୍ରୀଷ୍ମ ଛୁଟି ବେଳେ ବି ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର । ସକାଳ 7 ଟାରୁ 10 ଟା ଯାଏଁ ହେବ ପାଠ ପଢା । ଆବଶ୍ୟକ ସ୍ଥଳେ ସ୍ଥିତି ଦେଖି ନିଷ୍ପତି ନେଇପାରିବେ ଜିଲ୍ଲାପାଳ । ସ୍କଲ ଛୁଟି ଘୋଷଣା ପରେ ଅଙ୍ଗନବାଡି ଖୋଲା ରହିବ ନା ଛୁଟି ହେବ ଦ୍ବନ୍ଦ ଉପୁଜିଥିଲା । ଆଜି ଏନେଇ ଶିଶୁ କଲ୍ୟାଣ ବିଭାଗ ଦ୍ବନ୍ଦ ଦୂର କରି ସ୍ପଷ୍ଟୀକରଣ ଦେଇଛି ।
ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁସାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ସଂଶୋଧିତ ସମୟ ସୀମା ଅନୁଯାୟୀ ପୂର୍ବରୁ ଜାରି ହୋଇଥିବା ଗ୍ରୀଷ୍ମ ପ୍ରବାହ ପ୍ରୋଟକଲ ପାଳନ କରି ପୂର୍ବପରି କାର୍ଯ୍ୟକ୍ଷମ ରହିବ । ଅଙ୍ଗନବାଡ଼ି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୧୦ଟା ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳମାନେ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ ।
ରାଜ୍ୟର ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ଦେଖି ସରକାର ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିସାରିଛନ୍ତି । ଫଳରେ ଗତକାଲି ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଆରମ୍ଭ ହୋଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମେ ୫ ତାରିଖରୁ ଖରା ଛୁଟି ହେବା ନେଇ ଏକାଡେମୀକ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା । ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ବାରମ୍ବାର ସ୍କୁଲ ଖୋଲିବା ଛୁଟି ହେବା ପରିସ୍ଥିତି ଦେଖାଯାଇଥିଲା । ଏଣୁ ଛୋଟ ପିଲାଙ୍କ ସ୍ଵାସ୍ଥ୍ୟଗତ ଓ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟ ସରକାର ସ୍କୁଲ ଗୁଡ଼ିକ ଛୁଟି କରିଛନ୍ତି ।
ରାଜ୍ୟରେ ଅନେକ ସହରରେ ସକାଳ ସମୟରେ ୩୨ ଡିଗ୍ରୀ ତାପମାତ୍ରା ରହୁଛି। ଏପଟେ ଖରାକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ସମେତ ଛତା ଓ କଳା ଚଷମା ନେଇ ଘରୁ ବାହାରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅତି ଜରୁରୀ ନହେଲେ ସକାଳ 9 ଟା ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଖରାରେ ନ ବାହାରିବାକୁ କୁହାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର