ଭୁବନେଶ୍ବର: ଆନନ୍ଦପୁର ପୈାର ପରିଷଦ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାସ୍ଥିତ ଆନନ୍ଦପୁର ପୈାର ପରିଷଦରେ ଜନସାଧାରଣଙ୍କ ସ୍ବାସ୍ଥ୍ୟାବସ୍ଥାର ଦୃତ ବିକାଶ ପାଇଁ ରାଜ୍ୟ ସରକାର ଏହି ପୈାର ପରିଷଦକୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଫିସ୍ ଆଦେଶନାମା ସଂଖ୍ୟା ୧୧୩୭ ଜାନୁଆରୀ 16ରେ ଏହା ପ୍ରକାଶ କରାଯାଇଛି ।
ତେବେ ଏହି ପୈାର ପରିଷଦକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫୦ଟି ପୈାରାଞ୍ଚଳ ଜାତୀୟ ସହରାଞ୍ଚାଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ମୁଖ୍ୟତଃ ୫୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଥିବା ସହରାଞ୍ଚାଳକୁ ଏହି ମିଶନରେ ସାମିଲ ପାଇଁ ବିଚାର କରାଯାଇଥାଏ । ମିଶନରେ ସାମିଲ ହେଲେ ଉକ୍ତ ଅଞ୍ଚଳରେ ସାର୍ବଜନୀନ ଟୀକାକରଣ ସହ ମହିଳା ଓ ଶିଶୁ ଯତ୍ନ ଆଦି ସେବା ଯୋଗାଣ ଅଧିକ ସରଳ ଓ ସୁଗମ ହୁଏ । ଏଥିସହ ସହରାଞ୍ଚଳରେ ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର ଖୋଲାଯାଏ।
ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସହରାଞ୍ଚଳରେ ସ୍ୱାସ୍ଥ୍ୟ ମିଶନରେ ସାମିଲ ହୋଇଥିବା ସହରମାନଙ୍କରେ ୫୫ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ୧୨୨ଟି ହେଲ୍ଥ୍ ଆଣ୍ଡ୍ ୱେଲ୍ନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖି କ୍ଷେତ୍ର ସ୍ତରୀୟ କାର୍ଯ୍ୟାନ୍ବୟନରେ ତ୍ଵରାନ୍ବିତ କରାଯାଇଛି । ଏପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରତିଦିନ ଏକାଧିକ ଜାଗାରେ ସରକାରୀ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅଭିଯୋଗ ତାଲିକା ଲମ୍ବି ଚାଲିଛି । ଏହାର ଏକ ପ୍ରମୁଖ କାରଣ ହୋଇଛି ଡାକ୍ତର ସଙ୍କଟ । ସରକାର ହସ୍ପିଟାଲ୍ କୋଠା, ଯନ୍ତ୍ରପାତି ସବୁ ପ୍ରସ୍ତୁତ କରୁଥିଲେ ବି ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବା ବିଗିଡ଼ି ଯାଉଛି, ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ପୁଣି ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଉଥିଲା ବେଳେ ସେଠାରେ ମଧ୍ୟ ଆବଶ୍ୟକ ଡାକ୍ତରୀ ଶିକ୍ଷକ ଓ କର୍ମଚାରୀ ନାହାନ୍ତି । ଡାକ୍ତରୀ ଶିକ୍ଷକ ଯଥେଷ୍ଟ ନ ଥିବା ଏକ ଗୁରୁତର ସମସ୍ୟା ।
ଇଟିଭି ଭାରତ , ଭୁବନେଶ୍ବର