ଭୁବନେଶ୍ବର: ଓଡ଼ିଆ ଭାଷା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ସହଜ ଓ ସରଳ ହେବ । ଯୁକ୍ତାକ୍ଷର ଓ ମାତ୍ରାଫଳ ବି ଠିକ ଆସିବ । ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଆପ୍ ‘ଆମ ଲିପି’ ପ୍ରସ୍ତୁତ କରୁଛନ୍ତି । ଶ୍ରୀଲିପି ଓ ଆକୃତି ବନ୍ଦ ହେବା ପରେ ଏହି ଆପ ପ୍ରସ୍ତୁତ ନେଇ ସରକାର ଓଡ଼ିଆ ଅଧ୍ୟୟନ ଗବେଷଣା କେନ୍ଦ୍ରକୁ ୨୦୧୬ରେ ପ୍ରସ୍ତାବ ଦେଇଥିଲେ । ଏବେ ଆପ ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ଅନୁମୋଦିତ ହୋଇଛି। ଏବେ ପରୀକ୍ଷଣ ଜାରି ରହିଥିବାବେଳେ କାର୍ଯ୍ୟକାରିତା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।
ଏହାକୁ ନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ କହିଛନ୍ତି, ‘‘ଓଡ଼ିଆ ଅକ୍ଷର ଲେଖିବା ପାଇଁ ଯେଉଁ ସ୍ବତନ୍ତ୍ର ଆପ୍ ‘ଆମ ଲିପି’ ପ୍ରସ୍ତୁତ ହୋଇଛି । ଏଥିପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି । ଆଉ ଓଡ଼ିଆ ଲେଖିବାରେ ଏହା ବିଶେଷ ଉପଯୋଗୀ ପ୍ରତିପାଦିତ ହେବ । ତେବେ ଓଡ଼ିଆ ଲେଖିବା ନିମନ୍ତେ ରାଜ୍ୟ ସରକାର ଆଣୁଛନ୍ତି ସ୍ବତନ୍ତ୍ର ସଫ୍ଟୱେର ‘ଆମ ଲିପି’ । ବର୍ତ୍ତମାନ ଏହା ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ବୈଷୟିକ ବିଭାଗକୁ ପଠାଯାଇଛି । ଯେକୌଣସି କାର୍ଯ୍ୟ ପାଇଁ ଆମେ ଓଡ଼ିଆ ଲେଖିବା ପାଇଁ ମାଧ୍ୟମ ନଥିଲା । ଶ୍ରୀଲିପି ଓ ଆକୃତି ସାହାଯ୍ୟ ଆମେ ଓଡ଼ିଆ ଲେଖୁଥିଲେ । ଏହା ୨୦୧୦ରୁ ବନ୍ଦ ହେବା ପରେ ଏହାର ନକଲ ଦ୍ବାର କାର୍ଯ୍ୟ ହେଉଛି । ତେଣୁ ଏହି ନୂଆ ୟୁନିକୋର୍ଡ ଫଣ୍ଟ ସଫ୍ଟୱେର ଦ୍ବାରା ସ୍ବତନ୍ତ୍ରଭାବେ ଓଡ଼ିଆ ଲେଖିହେବ । ଏହାଦ୍ବାରା ସ୍ବଳ୍ପ ସମୟରେ ନିର୍ଭୁଲଭାବେ କାର୍ଯ୍ୟ କରିହେବ ।
ଭାଷାବିତ ତଥା ଓଡ଼ିଆ ଅଧ୍ୟୟନ କେନ୍ଦ୍ର ସଦସ୍ୟ ସୁବ୍ରତ ପୃଷ୍ଟି କହିଛନ୍ତି, ‘‘ ଏହି ଆପ ବା ସଫ୍ଟୱେର ପାଇଁ ସରକାର ଓଡ଼ିଆ ଅଧ୍ୟୟନ କେନ୍ଦ୍ରକୁ କହିଥିଲେ । ସଫ୍ଟୱେର କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ସରିଛି । ବିନା ମୂଲ୍ୟରେ ଏହାକୁ ପ୍ରଦାନ କରାଯାଇଛି । ଯାହାର ପରୀକ୍ଷଣ ଜାରି ରହିଛି ଏବଂ ଖୁବଶୀଘ୍ର ସରକାର କାର୍ଯ୍ୟକାରୀ କରିବେ ବୋଲି ଆଶା । ସ୍ବତନ୍ତ୍ରଭାବେ ଆମ ଭାଷା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।’’
ଆମ ଲିପିର ବିଶେଷତ୍ବ:- ଏହା ଓଡିଆ ଧ୍ବନିତତ୍ତ୍ବକୁ ଭିତ୍ତିକରି ପ୍ରସ୍ତୁତ ପ୍ରଥମ ଓଡିଆ ସଫ୍ଟୱେର, ଯାହା ଅତିସହଜରେ ଶୁଦ୍ଧ ଓଡିଆ ଶବ୍ଦ ଟାଇପ କରିହେବ । ଓଡିଆଭାଷାରେ ବହୁଳ ବ୍ୟବହୃତ ଧ୍ବନି, ମାତ୍ରା, ଫଳାର ଶୃଙ୍ଖଳିତ ସଜ୍ଜିକରଣ, ଯାହା ଏପର୍ଯ୍ୟନ୍ତ ପ୍ରସ୍ତୁତ କୌଣସି ଓଡିଆ ସଫ୍ଟୱେରରେ ପ୍ରୟୋଗ ହୋଇନାହିଁ ତାହା ଏଥିରେ ହେବ । ଓଡିଆ ଭାଷାରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ସମସ୍ତ ସଫ୍ଟୱେୟାର ଠାରୁ ଏହାକୁ ନିଜ କମ୍ପ୍ୟୁଟରରେ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଇନଷ୍ଟଲ କରି ଓଡିଆରେ ଟାଇପ କରିହେବ।