ଭୁବନେଶ୍ବର: ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ଆଞ୍ଚଳିକ ଦଳ ଗୁଡିକର ପାଣ୍ଠି ଉତ୍ସକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି । ୨୭ଟି ଆଞ୍ଚଳିକ ଦଳ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି । ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି । ବାକି 88 ପ୍ରତିଶତ ଆୟ ଅଜଣା ଉତ୍ସରୁ ଆସିଛି । ବିଜେଡି ପାଇଥିବା ଆୟରୁ ୨୯୧ କୋଟି ଅଜଣା ସୂତ୍ରରୁ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି । ତେବେ ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି । ଅଜଣା ସୂତ୍ରରୁ ଆୟ ପାଇଥିବା ଦଳଗୁଡିକ ମଧ୍ୟରେ ତାମିଲନାଡୁର ଆଞ୍ଚଳିକ ଡିଏମକେ ଶୀର୍ଷରେ ରହିଛି । ସେହିପରି ବିଜୁ ଜନତା ଦଳ(BJD) ଦ୍ବିତୀୟରେ ରହିଛି । ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ପାଇଛି ୨୯୧.୦୯୬ କୋଟି ଟଙ୍କା । ତୃତୀୟ ଦଳ ଭାବେ ତେଲେଙ୍ଗାନାର ଆଞ୍ଚଳିକ ଦଳ ଟିଆରଏସ ୧୫୩.୦୩୭ କୋଟି ଟଙ୍କା ଅଜଣା ଉତ୍ସରୁ ପାଇଛି । ୱାଇଏସଆର କଂଗ୍ରେସ ୬୦.୦୧୬୮ କୋଟି ଏବଂ ଜେଡିୟୁ ୪୮.୩୬୧୭ କୋଟି ଟଙ୍କା ପାଇଛନ୍ତି ।
ସେହିଭଳି ଶିରୋମଣି ଅକାଳୀ ଦଳ ୧୨.୦୭୩୫ କୋଟି, ଏମଏନଏସ ୫.୦୪୫୪ କୋଟି, ଟିଡିପି ୩.୬୪୮୫, ସପା ୩.୫୪୭୭ କୋଟି ଏବଂ ଜେଏମଏମ ୨.୧୦୪ କୋଟି ଟଙ୍କା ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ବିଜେଡି ୨୦୨୧-୨୨ରେ ମୋଟ ୩୦୭ କୋଟି ଟଙ୍କା ଆୟ କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଥିରୁ ୯୪.୭୩ ପ୍ରତିଶତ ଅର୍ଥାତ ୨୯୧ କୋଟି ଟଙ୍କା ଅଜଣା ସୂତ୍ରରୁ ସଂଗ୍ରହ କରିଛି । କିନ୍ତୁ ଅନ୍ୟ ଜଣା ଉତ୍ସରୁ ବିଜେଡି ୧୬.୧୯୨ କୋଟି ଟଙ୍କା ପାଇଛି ।
ନିୟମ ଅନୁଯାୟୀ ୨୦ ହଜାର ଟଙ୍କାରୁ କମ ଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା ସଂପର୍କରେ ରାଜନୈତିକ ଦଳଗୁଡ଼ିକୁ ଉତ୍ସ ଜଣାଇବାର ଆବଶ୍ୟକତା ନାହିଁ । ଏହାଫଳରେ ସେମାନଙ୍କ ମୋଟ ଆୟର ମାତ୍ରାଧିକ ରାଶି ସଂପର୍କରେ ସୂଚନା ସଂଗ୍ରହ କରାଯାଇ ପାରୁନାହିଁ । ଏଡିଆର ପକ୍ଷରୁ ଆଞ୍ଚଳିକ ଦଳଗୁଡ଼ିକର ଆୟ ସଂପର୍କରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ସେମାନଙ୍କର ଆୟକୁ ମୁଖ୍ୟତଃ ତିନିଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଜଣା ସୂତ୍ର, ଅନ୍ୟ ଜଣା ସୂତ୍ର ଏବଂ ଅଜଣା ସୂତ୍ର ।
ଇଟିଭି ଭାରତ, ଭୁବନେଶ୍ବର