ଖୋର୍ଦ୍ଧା: ସଦର ଥାନା ବଣିଆଟାଙ୍ଗି ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ଆତ୍ମହତ୍ୟା କରିଥିବା ଜାଣିବା ପରେ ସ୍ତ୍ରୀର ଆତ୍ମହତ୍ୟା କରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଉଭୟ ଏପରି ଚରମ ନିଷ୍ପତ୍ତି ନେଇଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁର ସମରେନ୍ଦ୍ର ସେନାପତି ଏକ ରଙ୍ଗ କମ୍ପାନୀରେ କାମ କରୁଥିଲେ । କିଛିଦିନ ତଳେ ସେ ଘରକୁ ଆସିଥିଲେ । ଆଜି ସକାଳେ ସେ ବିଲକୁ କାମ କରିବା ପାଇଁ ଯାଇଥିଲେ । ମଧ୍ୟାହ୍ନରେ ଘରକୁ ଫେରିଥିଲେ । ହେଲେ ଘରକୁ ଆସି କବାଟ ବନ୍ଧ କରି ଆଉ ବାହାରକୁ ବାହାର ନଥିଲେ । ଅନେକ ସମୟପରେ ବି ବାହାରକୁ ନଆସିବାରୁ ପରିବାର ଲେକେ ଡାକ ଦେଇଥିଲେ । ପରିବାର ଲୋକେ ଯେତେ ଡାକିଲେ ମଧ୍ୟ କବାଟ ଖୋଲିନଥିଲେ । ଖବର ପାଇଁ ସମରେନ୍ଦ୍ରଙ୍କ ବଡ଼ ଭାଇ ଘରେ ପହଞ୍ଚି ଶାବଳରେ କବାଟ ତାଡ଼ି ଦେଇଥିଲେ । ସମରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲ୍ ନେଇଯାଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଁ ପତ୍ନ ସୁନୀତା ଘରେ ଆତ୍ମହତ୍ୟା କରିଥିବା ସୂଜନା ଦେଇଛନ୍ତି ପରିବାର ଲୋକେ ।
ଅଧିକ ପଢନ୍ତୁ.. ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀକୁ ଆସିଲା ହୃଦଘାତ, ଚାଲିଗଲା ଜୀବନ
ସମରେନ୍ଦ୍ରଙ୍କ ଭାଇ ଅମରେନ୍ଦ୍ର ସାମନ୍ତରାୟ କହିଛନ୍ତି, "ଘଟଣା ଘଟିବା ସମୟରେ ମୁଁ ଘରେ ନଥିଲି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମରେନ୍ଦ୍ର କବାଟ ଦେଇ ଘରେ ପଶିଯାଇଥିଲା । ତାକୁ ଡାକିଲେ ମଧ୍ୟ ସେ କିଛି ଉତ୍ତର ଦେଇ ନଥିଲା । କିଛି ଅଘଟଣର ଅଶଙ୍କା କରି ମୁଁ କବାଟ ଭାଙ୍ଗି ଦେଇଥିଲି । ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ଆମେ ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲୁ ହେଲେ ଡାକ୍ତର ତାକୁ ମୃତଘୋଷଣା କରିଥିଲେ ।"
ଗ୍ରାମ ସରପଞ୍ଚ କେଦାର ପୃଷ୍ଟି କହିଛନ୍ତି, "ଏହା ଏକ ଅଭାବନୀୟ ଘଟଣା । କାହିଁକି ଉଭୟ ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ପିତାମାତା ଛେଉଁଣ୍ଡ ପିଲାଙ୍କ ଭବିଷ୍ୟତ କିପରି ସଜାଡ଼ି ହେବ ସେନେଇ ସରକାର କିଛି ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ ।" ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ତେବେ ସଦର ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ହସ୍ପିଟାଲରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ ଖୋର୍ଦ୍ଧା