ଖୋର୍ଦ୍ଧା: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ ଓଡିଶା ମାଟିରେ ଫଳୁଛି ସେଓ । ଅନଲାଇନ ଯୋଗେ ଚାରା କିଣି ଘର ବାଡିରେ ସେଓ ଚାଷ କରୁଛନ୍ତି ଚାଷୀ । ଥଣ୍ଡା ଅଞ୍ଚଳର ସେଓ ପରି ଗଛରେ ଫଳୁଛି ସୁସ୍ବାଦୁ ସେଓ । ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ଆଦ୍ର ଭୂମିରେ ଏହି ଫଳ ଫଳାଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଚାଷୀ ଅରୁଣ ନାୟକ । ଗ୍ରୀଷ୍ମ ଜଳବାୟୁରେ ସେଓ ଚାଷ କରି ସେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଖପାଖର ଲୋକେ ମଧ୍ୟ ଏହା ଜାଣିବା ପରେ ସେଓ ଚାଷ ଦେଖିବାକୁ ଧାଇଁ ଆସୁଛନ୍ତି ତାଙ୍କ ବାଡିକୁ ।
ଖୋର୍ଦ୍ଧା ବୋଲଗଡ ବ୍ଲକ ଆରିକିମା ଗାଁରେ ଅରୁଣ ନାୟକଙ୍କ ଘର । ଥରେ ସେ ୟୁଟ୍ୟୁବରେ ସେଓ ଚାଷ ଦେଖି ନିଜ ବାଡିରେ ବି ସେଓ ଫଳାଇବାକୁ ଇଚ୍ଛା କରିଥିଲେ । ଏଥିପାଇଁ ଅରୁଣ ହିମାଚଳ ପ୍ରଦେଶର ଏକ କୃଷିଭିତ୍ତିକ ସଂସ୍ଥାରୁ ଚାରା ପିଛା 160 ଟଙ୍କା ଦରରେ 30ଟି ସେଓ ଚାରା ମଗାଇଥିଲେ ଏବଂ ନିଜ ଘର ବାଡିରେ ଚାରାକୁ ଲଗାଇଥିଲେ । ଚାରା ରୋପଣ ଠାରୁ ଆରମ୍ଭ କରି ଚାଷ ପ୍ରଣାଳୀ ଯାଏ ସେ ୟୁଟ୍ୟୁବ ଦେଖି ସେଓ ଚାଷ କରିଥିଲେ । 30ଟି ଗଛ ମଧ୍ୟରୁ 2ଟି ଗଛ ମରି ଯାଇଥିଲା । କିନ୍ତୁ ବାକି ଗଛଗୁଡିକ ଭଲ ଭାବେ ବଢିଥିଲେ । ଚାରା ଯୋଗାଣ ସଂସ୍ଥା 3 ମାସ ମଧ୍ୟରେ ଫଳ ଫଳିବ ବୋଲି କହିଥିବା ବେଳେ ମାତ୍ର 17 ମାସ ମଧ୍ୟରେ ଏହି ଚାଷୀଙ୍କ ବାଡିରେ ଫଳିଥିଲା ସୁଆଦିଆ ସେଓ । ଯାହାକୁ ଦେଖିବା ପରେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ଅରୁଣ । ଏଥର 8-10ଟି ଗଛରେ ସେଓ ଫଳିଥିବାବେଳେ ବର୍ତ୍ତମାନ ଗଛରେ ଫୁଲ ଧରିଛି । ଆଉ ଆଗାମୀ 3 ବର୍ଷ ଭିତରେ କ୍ବିଣ୍ଟାଲ କ୍ବିଣ୍ଟାଲ ସେଓ ଫଳାଇବାକୁ ଅରୁଣ ଲକ୍ଷ୍ୟ ରଖିଛନ୍ତି । ତେବେ କେବଳ ସେଓ ନୁହେଁ, ଅରୁଣ ଥାଇଲାଣ୍ଡ ପିଜୁଳି, ଲିଚୁ ସହ ବାଡି ପୋଖରୀରେ ମାଛ ଚାଷ ମଧ୍ୟ କରୁଛନ୍ତି । ଏହି ଚାଷରୁ ସେ ଭଲ ଦି ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ସେପଟେ ବୋଲଗଡ଼ ଭଳି ଏକ ଅଞ୍ଚଳରେ ସଫଳତାର ସହ ସେଓ ଚାଷ ସମ୍ପର୍କରେ ଜାଣି ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଲୋକେ ଅରୁଣଙ୍କ ବାଡିରେ ଭିଡ ଜମାଉଛନ୍ତି ।
ଲକଡାଉନରେ ରୋଜଗାର ହରାଇ ଘରେ ବସିଥିବା ଲୋକଙ୍କ ପାଇଁ ଏବେ ଉଦାହରଣ ସାଜିଛନ୍ତି ଅରୁଣ । ଦୃଢ ଇଚ୍ଛାଶକ୍ତ ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଆଖପାଖ ଲୋକେ ବି ଏହି ଚାଷୀଙ୍କ ଦ୍ବାରା ଅଭିପ୍ରେରିତ ହୋଇ ଚାଷ ପ୍ରତି ମନ ବଳାଉଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ