ଖୋର୍ଦ୍ଧା: ଜନ୍ମରୁ ଯନ୍ତ୍ରଣା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଭଙ୍ଗା ପଲିଥିନ ତଳେ ଜୀବନ ବିତୁଥିବାବେଳେ, କିଡନୀ ରୋଗରେ କଲବଲ ମିଟି । ପିଲାଟିବେଳୁ ଗୋଟିଏ କିଡନୀ ହରେଇଥିଲେ, ବର୍ତ୍ତମାନ ଅନ୍ୟଟି ଖରାପ ହେବା ଉପରେ । ଆଉ ଏପରି ସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କନ୍ତଳବାଇ ନୂଆସାହିର 21 ବର୍ଷୀୟ ମିଟିଙ୍କୁ ଲୋଡା ସରକାରୀ ସହୟତା ।
ଯେଉଁ ବୟସରେ ଭବିଷ୍ୟତର ସ୍ବପ୍ନ ତୋଳିଥାନ୍ତେ, ସେହି ବୟସରେ ସେ ବଞ୍ଚିବାର ରାହା ଖୋଜୁଛନ୍ତି । ପେଟ ପାଇଁ ପ୍ରତିଦିନ ସଂଘର୍ଷ କରୁଥିବାବେଳେ ରୋଗ ଯନ୍ତ୍ରଣା ତାଙ୍କୁ କଲବଲ କରୁଛି । ଏପରି ଦୁର୍ଦ୍ଦିନରେ ଜୀବନ ଜୀଉଁଛନ୍ତି ମିଟି ନାୟକ । ସେପଟେ, ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ବି ରୋଗାଗ୍ରସ୍ତ । ତଥାପି ଝିଅର ଚିକିତ୍ସା ପାଇଁ ପ୍ରଥମେ ଘରୋଇ ହସ୍ପିଟାଲ ଆଉ ପରେ ଏମ୍ସ ଯାଇଥିଲେ । ହେଲେ ରୋଗ ଭଲ ହେବାକୁ ଦରକାର 15 ଲକ୍ଷ ଟଙ୍କା ।
ସରକାରୀ ସହାୟତା ନିମନ୍ତେ ଜିଲାପାଳଙ୍କୁ ଗୁହାରି କରିବା ପରେ ଜିଲାପାଳ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ 20 ହଜାର ଟଙ୍କା ସହାୟତା ଦେଇଛନ୍ତି । ଯାହା ତାଙ୍କର ଚିକିତ୍ସା ଖର୍ଚର ସମୁଦ୍ରକୁ ଶଙ୍ଖେ ସଦୃଶ । ମିଟିର ଅଧିକ ଚିକିତ୍ସା ନିମନ୍ତେ ଆମେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱ ରଞ୍ଜନ ପତିଙ୍କୁ ପଚାରିବାରୁ ସେ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ ଅଧିକ ଅର୍ଥ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ କହିଛନ୍ତି । ସେପଟେ ସ୍ଥାନୀୟ ବାସିନ୍ଦା ମିଟିଙ୍କୁ ସହାୟତାର ହାତ ବଢ଼େଇବା ପାଇଁ ସରକାର ଏବଂ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ