ଭୁବନେଶ୍ବର: ରାଜଧାନୀରେ ଚାଲିଛି ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ । ସନ୍ଧ୍ୟା ହେଲେ ଜମୁଛି ଲେଖକ, ପାଠକ ଓ ପ୍ରକାଶକଙ୍କ ଭିଡ । ପୁସ୍ତକ ବା ବହି ହେଉଛି ମଣିଷର ପ୍ରକୃତ ବନ୍ଧୁ । ଯାହା ଆମକୁ ପରିମାର୍ଜିତ, ଶୃଙ୍ଖଳିତ ଓ ଜ୍ଞାନୀ କରାଇଥାଏ । ଏହି ବହି ହିଁ ମଣିଷ ଭିତରେ ମାନବୀୟ ଚେତନାକୁ ଜାଗ୍ରତ କରିବା ସହ ଜୀବନର ଏକାକୀ ପଣକୁ ଦୂର କରିଥାଏ । ଆଉ ମଣିଷର ଅବସର ଜୀବନକୁ ଚିର ସବୁଜ କରିଥାଏ । ତେଣୁ ବହିର ସ୍ଥାନ କେବେ କେହି ନେଇପାରିବେ ନାହିଁ କିମ୍ବା ଜ୍ଞାନର ଏହି ବିରାଟ ସମୁଦ୍ରକୁ କେହି କେବେ ଏକ ନିର୍ଦ୍ଦିଷ୍ଟ ମାନକରେ ମାପି ପାରିବେ ନାହିଁ କିମ୍ବା ମାଧ୍ୟମ ମଧ୍ୟରେ ଅଟକାଇ ବା ବାନ୍ଧି ପାରିବ ନାହିଁ । ଏହାକୁ ନେଇ ହିଁ ଏହି ଆକାଶ ଭଳି ବିଶାଳ ଜ୍ଞାନର ସାଗରରେ ସମସ୍ତେ ଟିକେ ହଜି ଯିବାପାଇଁ ବହିକୁ ନିଜର ସାଥି କରିଥାନ୍ତି । ଜୀବନରେ ବହିର ଏହି ପ୍ରସଙ୍ଗିକତାକୁ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ଭାଷା ସାହିତ୍ୟ ଓ ସଂସ୍କୁତିର ତ୍ରିବେଣୀ ସଙ୍ଗମର ଏହି ଅକ୍ଷର ମହୋତ୍ସବ ।
ତେବେ 5ମ ରାଜ୍ୟ ପୁସ୍ତକ ମହୋତ୍ସବରେ ଜମୁଛି ପାଠକ, ଲେଖକ ଓ ପ୍ରକାଶଙ୍କ ଭିଡ । ସନ୍ଧ୍ୟା ହେଲେ ବହି ସହ ଟିକିଏ ସମ୍ପର୍କ ଯୋଡିବାକୁ ଆଉ ମନ ପସନ୍ଦର ବହିଟିଏ କିଣିବାକୁ ଜମୁଛି ଲୋକଙ୍କ ଭିଡ । ଏହି ମହୋତ୍ସବରେ ୨୦୦ ରୁ ଉର୍ଦ୍ଧ୍ବ ପୁସ୍ତକର ଷ୍ଟଲ ଲାଗିଥିବା ବେଳେ ପ୍ରତିଟି ସ୍ଥଳରେ ରହିଛି ଭିନ୍ନ ଭିନ୍ନ ସ୍ୱାଦର ପୁସ୍ତକ । ଏହାରି ଭିତରେ ଗଳ୍ପ, ଉପନ୍ୟାସ ଓ ଆଧ୍ୟାତ୍ମିକ ପୁସ୍ତକର ଚାହିଦା ସହ ଯୁବପିଢିଙ୍କ ପ୍ରତିଯୋଗିତା ମୂଳକ ବହିର ବିକ୍ରି ଭଲ ହେଉଥିବା ଦେଖିବାକୁ ମିଳିଛି । ଗୁଗଲ ଦୁନିଆରେ ବଞ୍ଚୁଥିବା ମଣିଷଟି ବ୍ୟସ୍ତ ଜୀବନ ଭିତରେ ଧୀରେ ଧୀରେ ବହି ପ୍ରତି ବିମୁଖ ହେଉଥିବା ବେଳେ ଯଦିଓ ଆଖିଦୃଶିଆ ଭିଡ ହେଉନାହିଁ କିନ୍ତୁ ମଣିଷର ଚିରସହଚର ଓ ଅସୀମ ଜ୍ଞାନର ଭଣ୍ଡାର ପୁସ୍ତକର ପ୍ରାସଙ୍ଗିକତାକୁ ନେଇ ମେଳାରେ ପାଠକଙ୍କ ଭିଡ ଦେଖିବାକୁ ମିଳୁଛି । ସବୁ ବର୍ଗର ଲୋକେ ଏହି ମେଳାରେ ଏକାଠି ହୋଇଥିବା ବେଳେ ବରିଷ୍ଠ ଆଧ୍ୟାତ୍ମିକ ଓ ଯୁବପିଢ଼ି ପ୍ରତିଯୋଗିତାମୂକ ବହି କିଣୁଥିବା ଦେଖିବାକୁ ମିଳିଛି । ଆଉ ଏହି ମେଳାରେ ଆସି ଗୁଗଲର ଅକୁହା ଜ୍ଞାନ ପୁସ୍ତକଟିଏ କିଣି ଖୁସି ହେଇ ଯାଉଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ......ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ପୁସ୍ତକ ଓ କୃଷି ମେଳା
ସେପଟେ ଏହି ମେଳାକୁ ଆସିଥିବା ଶବ୍ଦକୁ ଶବ୍ଦ ସହ ଛନ୍ଦି ବହିଟିଏ ଲେଖୁଥିବା ଲେଖକଟିଏ କୁହେ ବହିର ନିଜସ୍ୱ ଆତ୍ମା ଓ ବାସ୍ନା ଅଛି । ତେଣୁ ଆଧୁନିକତାର ଚାପରେ ଆମେ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଓ ଯେତେ ଡ଼ିଜିଟାଲାଇଜେସନ ହେଲେ ବି ବହିର ବାସ୍ନାକୁ କେହି କେବେ ଭୁଲି ପାରିବେନି । କିଏ କହିଲା ବହିର ବିକ୍ରି ହେଉନି ବୋଲି ? ଏହା ଭୁଲ । ବହି ତା ସ୍ଥାନ ବଜାୟ ରଖିଥିବା ବେଳେ ଏବେବି ସବୁ ବର୍ଗର ଲୋକେ ବହି କିଣୁଛନ୍ତି ।
ସେହିପରି ବ୍ୟବସାୟୀ କହିଛନ୍ତି "ଅଡିଓ ଭିଜୁଆଲ ଯୁଗରେ ବହିର ପ୍ରାସଙ୍ଗିକତା ନିହାତି କମିଛି । ପାଖାପାଖି ୯୦ ପ୍ରତିଶତ ବହି କିଣା ଏଥିପାଇଁ କମିଥିବା ବେଳେ ଜଣାଶୁଣା ଲେଖକଙ୍କ କିଛିଟା ବହି ବିକ୍ରି ହେଉଛି । ଏହାକୁ ନେଇ ଭିଡ ଆଉ ଆଗଭଳି ପୁସ୍ତକ ମେଳାରେ ନଥିବା ବେଳେ ବ୍ୟବସାୟ କମ ରହୁଛି ।"
ତେବେ ୫ମ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅନେକ ବ୍ୟବସାୟୀ ପାଠକ ପାଠିକାଙ୍କୁ ଆକର୍ଷିତ କରିବା ପାଇଁ ନିଆରା ଢଙ୍ଗରେ ପୁସ୍ତକର ସମ୍ଭାରକୁ ସଜାଇଛନ୍ତି । ଏହି ନିଆରା ସମ୍ଭାର ପାଠକଙ୍କୁ ବହିଟିଏ କିଣିବାକୁ ଆକର୍ଷିତ କରୁଥିବା ବେଳେ ଏଥର ମଧ୍ୟ ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ବ୍ୟବସାୟୀ ।
ଇଟିଭି ଭାରତ, ଭୁବନେଶ୍ବର