ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି (ଗୁରୁବାର) ସଂଧ୍ୟାରେ କଟକ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତରେ ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା'ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସମ୍ପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି । 5T ଉପକ୍ରମରେ ମା'ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ପାଣ୍ଡିଆନ ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭକ୍ତମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା'ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
5T ଅଧ୍ୟକ୍ଷ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହାର ରୂପାନ୍ତର କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି । ୪ଟି କ୍ଲିନିକାଲ ବ୍ଲକ ଓ ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାଣ୍ଡିଆନ ଏହା ପରେ ରେଭେନ୍ସା ବାଳିକା ବିଦ୍ୟାଳୟ ବୁଲି ଦେଖିଛନ୍ତି । ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଐତିହ ବିଲ୍ଡିଂକୁ ପୁନରୁଦ୍ଧାର କରିବା ପାଇଁ ସେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି ।
5T ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, କଟକ ଡିସିପି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉ କି ଏହା ପୂର୍ବରୁ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର