ଭୁବନେଶ୍ବର: 5T ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ନେଇ ସମୀକ୍ଷା କରିଛନ୍ତି । ଏହା ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆ ଫୁଲ ଚାଷୀ ଓ ଲେମନଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ।
ମକା ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି । ମକା ଚାଷୀ ଯେପରି ଉଚିତ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ହେବ । ଏହା ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହାସହ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଏଫ.ପି.ଓର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।
ଓରମାସ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ସୂଚନା ମିଳିଛି । ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବ । ଏଥି ମଧ୍ୟରୁ ୧୩ଟି ଗଠିତ ହୋଇସାରିଛି । କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି । ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମକା ମିଶନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି । ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।
ସେହିପରି ଜିଲ୍ଲା ଗସ୍ତ ସମୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ପାନ ଚାଷୀ, କିଆ ଫୁଲ ଚାଷୀ ଓ ଲେମନ ଗ୍ରାସ ଚାଷୀ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ଆପିକଲ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ଯାହା ଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ । କୋରାପୁଟରେ ଲେମନ ଗ୍ରାସ ଚାଷର ବିଶେଷ ଆଦର ରହିଛି । ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ Horticulture Mission Plus ଅଧିନରେ ୮୪ ହଜାର ଟଙ୍କା ଏବଂ NHM ରେ ୧୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.......ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ସ୍ଥିତି ପରଖିଲେ ପାଣ୍ଡିଆନ
ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତା ଗୁଡିକୁ ୨୬ ଜାନୁୟାରୀ ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର