ଭୁବନେଶ୍ବର: ଅଷ୍ଟ୍ରେଲିଆରେ ପାଠ ପଢିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ । ଏନେଇ କର୍ଟିନ ବିଶ୍ବବିଦ୍ୟାଳୟ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମସ୍ତ ଖର୍ଚ୍ଚ ବହନ କରିବ । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଛାତ୍ରଛାତ୍ରୀ ଭେଟିଛନ୍ତି । କଠିନ ପରିଶ୍ରମ କରି, ନିଜର କ୍ୟାରିଅର ଲକ୍ଷ୍ୟ ହାସଲ କର ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ସମୟରେ 5T ସଚିବ ଭିକେ ପାଣ୍ଡିଆନ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ ।
କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ । ସେମାନେ ବିଶ୍ବର ଅନ୍ୟତମ ସୁନାମଧନ୍ୟ କର୍ଟିନ ବିଶ୍ବବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ । ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ । ଏହି 5 ଜଣ ଛାତ୍ରଛାତ୍ରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ ବିଶ୍ବବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ ଅଷ୍ଟ୍ରେଲିଆନ ସ୍କୁଲ ଅଫ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ କେମିକାଲ ଇଞ୍ଜିନିୟରିଂ(WASM: MECE)ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଛନ୍ତି । ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସାଙ୍ଗକୁ କଠିନ ପରିଶ୍ରମ କରି ନିଜର କ୍ୟାରିଅର ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ।
ଏହାବି ପଢନ୍ତୁ- ମିଳିବ ନୂତନ ଜ୍ଞାନ, ଜୈବବିବିଧତା ରକ୍ଷା ପାଇଁ ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ଉପରେ ଶିକ୍ଷା ପାଇବେ
ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ବରେ ପରିଚିତ । ଏହି ଶିକ୍ଷାନୁଷ୍ଠାନ ଲଗାତାର 7 ବର୍ଷ ଧରି ମିନେରାଲ ଏବଂ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଂରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି । ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲ୍ଲାରୁ ଯେଉଁ 5 ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି, ସେମାନେ ହେଲେ ମିନର୍ଭା ସାହୁ, ଅଦ୍ବିକ କୁମାର, ଆକିବ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ବକର୍ମା । ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଫେସନାଲ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ । ଏଥିପାଇଁ ୱେଷ୍ଟ ଅଷ୍ଟ୍ରେଲିଆନ ସ୍କୁଲ ଅଫ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି । ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ ରହିଛି । ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶ୍ବର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ ରେକର୍ଡ଼ ରହିଛି ।
କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ୱେଷ୍ଟ ଅଷ୍ଟ୍ରେଲିଆନ ସ୍କୁଲ ଅଫ ମାଇନ୍ସ ମଧ୍ୟରେ ହୋଇଥିବା ଏହି ବୁଝାମଣା ପଛରେ ଏକ ବଡ଼ ଏବଂ ମହତ ଉଦ୍ଦେଶ୍ୟ ରହିଛି । କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା ହେବା ସାଙ୍ଗକୁ ଏଠାରେ ଖଣିଜ ସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି । ଏଣୁ ଜିଲ୍ଲାର ଶୈକ୍ଷିତ ବାତାବରଣକୁ ଉତ୍କୃଷ୍ଟତା ପ୍ରଦାନ କରିବା ଏବଂ ଏଠିକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହା ଜିଲ୍ଲା ପ୍ରଶାସନକୁ ଏକ ସୁଯୋଗ ପ୍ରଦାନ କରିଛି । ଏହି ବୁଝାମଣାର ଉଦ୍ଦେଶ୍ୟ କେବଳ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ଯୋଗାଇଦେବା ନୁହେଁ, କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ପ୍ରତିଭାମାନଙ୍କର ପରିପୋଷଣ ମଧ୍ୟ ଏହାର ଲକ୍ଷ୍ୟ । ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା । ନେତୃତ୍ବ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ । ଯାହାକି ଶୈକ୍ଷିକ ସଫଳତା ଏବଂ ଦାୟିତ୍ୱପୂର୍ଣ୍ଣ ମାନବ ସମ୍ବଳ ପରିଚାଳନାର ଏକ ଉଜ୍ଜଳ ଉଦାହରଣ ରୂପେ ସାବ୍ୟସ୍ତ ହେବ ।
ଇଟିଭି ଭାରତ, ଭୁବନେଶ୍ବର