ଭୁବନେଶ୍ବର: ମାନବ ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଲିଭର୍ ବା ଯକୃତ ଅନ୍ୟତମ । ଯକୃତ ବିନା ଜୀବନ ବଞ୍ଚିବା ଅସମ୍ଭବ । ଏହା ଶରୀରର ଏକ ସୂକ୍ଷ୍ମ ଅଙ୍ଗ, ଯଦି ଯକୃତରେ ଯତ୍ନ ନେବାରେ ଅବହେଳା କରନ୍ତି ତେବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ନଷ୍ଟ ହୋଇଯାଏ । ଯକୃତ ବା ଲିଭର୍ ବାବଦରେ ଶିକ୍ଷା ବା ସଚେତନତା ପାଇଁ ଗତକାଲି(ଗୁରୁବାର)ଠାରୁ ଆରମ୍ଭ ହୋଇଛି INASL-2023(Indian National Association for Study of the Liver)। କିପରି ଲିଭରର ଯତ୍ନ ନେବା ଏବଂ ଲିଭର ଶରୀରରେ କେଉଁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିଭାଇଥାଏ ସେହି ବାବଦରେ ଶିକ୍ଷା ଦେବାପାଇଁ ବାର୍ଷିକ ବୈଠକ ଜାରି ରହିଛି ।
ରିପୋର୍ଟ ଅନୁସାରେ, ଲିଭର ରୋଗରେ ଓଡ଼ିଶାରେ ୩୦-୪୦ ପ୍ରତିଶତ ଆକ୍ରାନ୍ତ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ସମାରୋହ ଚଳିତ ବର୍ଷ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି । ଏହି ସମାବେଶରେ ଦେଶ ବିଦେଶରୁ ବହୁ ଲୋକ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩୦୦ରୁ ଅଧିକ ପୋଲିସ କର୍ମୀ । ଏହି ସମାବେଶ ୪ ଦିନ ଧରି ଆୟୋଜିତ ହେବ । ପ୍ରଥମ ଦିନରେ କମିଶନରେଟ ପୋଲିସ କଟକ-ଭୁବନେଶ୍ୱରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହ ଆମେରିକାରୁ ଆସିଥିବା ପ୍ରଫେସର ଡ଼ାକ୍ତର ଜେଫେରୀ ଲାଜାରୁସଙ୍କ ସମେତ ପ୍ରଫେସର ଏସ.ପି. ସିଂ, ବରିଷ୍ଠ ଡ଼ାକ୍ତର ପ୍ରଫେସର ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ସମଗ୍ର ବିଶ୍ଵରେ ପ୍ରତିବର୍ଷ ଲିଭର୍ ବା ଯକୃତ ରୋଗରେ ପ୍ରାୟ ୩ କୋଟି ୧୭ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସମୟର ଏକ ଚିନ୍ତାଜନକ କାରଣ ଅଟେ । ଏନେଇ ବରିଷ୍ଠ ଡାକ୍ତର ମନୋଜ ସାହୁ କହିଛନ୍ତି ଯେ, "ଓଡ଼ିଶାରେ ଲିଭର୍ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଜଣେ ଲୋକ ଲିଭର୍ ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଏ ନାହିଁ । ସମସ୍ତ ରୋଗ ମଧ୍ୟରୁ ଆଲକୋହଲ ଲିଭର ରୋଗୀଙ୍କ ସଂଖ୍ୟା ଓଡ଼ିଶାରେ ଦୃତ ଗତିରେ ବୃଦ୍ଧି ପାଉଛି । ଅନ୍ୟପଟେ ଫ୍ୟାଟି ଲିଭର ରୋଗ ଏବେ ଓଡ଼ିଶା ନୁହେଁ ବରଂ ଭାରତ ସମେତ ସାରା ବିଶ୍ବରେ ବଢ଼ି ଚାଲିଛି । ଏହି ରୋଗରେ ଓଡ଼ିଶାରେ ୩୦-୪୦ ପ୍ରତିଶତ ଆକ୍ରାନ୍ତ ହୋଇ ସାରିଛନ୍ତି । ଯଦି ହେପାଟାଇଟିସ କଥା ଦେଖିବା ତେବେ ହେପାଟାଇଟିସ ବିରେ ଓଡ଼ିଶାରେ ୨-୮ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ଲିଭରରେ ଯେଉଁ ସବୁ ରୋଗ ହେଉଛି ଏହାର କାରଣ ହେଉଛି ହେପାଟାଇଟିସ ବି । ଏଥିପାଇଁ 1982 ମସିହାକୁ ଟିକା ବାହାରିଛି । ଏହି ଟିକା ସମସ୍ତେ ନେବା ଆବଶ୍ୟକ ।"
ଏହା ମଧ୍ୟ ପଢନ୍ତୁ: ଯକୃତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ
ଅନ୍ୟପଟେ ବୈଠକରେ ଯୋଗଦେଇ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଡ୍ୟୁଟି ବା କାର୍ଯ୍ୟ କରିବା ସମୟରେ ପୋଲିସମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରନ୍ତି ନାହିଁ । ଏଭଳି କାର୍ଯ୍ୟକ୍ରମରେ ଅନେକ ଶିକ୍ଷା ମିଳିଲା । ଆଶା କରୁଛି ଯେଉଁ ଶିକ୍ଷା ମିଳିଛି ତାହାକୁ ପୋଲିସମାନେ କାମରେ ଲଗାଇବା ସହିତ ଅନ୍ୟକୁ ମଧ୍ୟ ଶିକ୍ଷା ଦେବେ ।"
ତେବେ କହିରଖୁଛୁ କି, ଜଣେ ବ୍ୟକ୍ତି ଯାହା ଖାଇଥାନ୍ତି ବା ପିଇଥାନ୍ତି ତାହା ଯକୃତ ଦେଇ ପାକସ୍ଥଳୀକୁ ଯାଇଥାଏ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅନୁପଯୁକ୍ତ ଖାଦ୍ୟ ଗ୍ରହଣ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଅତ୍ୟଧିକ ଓଜନ ବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଏବଂ ଅସ୍ୱାଭାବିକ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଲିଭର୍ କ୍ଷତି ବା ଡ୍ୟାମେଜ୍ ହେବାର ମୁଖ୍ୟ କାରଣ । ଅତ୍ୟଧିକ ମଦ୍ୟମାନ ଦ୍ବାରା ମଧ୍ୟ ଲିଭର ଖରାପ ହୋଇଥାଏ । ଚର୍ବିଯୁକ୍ତ ଖାଦ୍ୟ, ମଦ୍ୟପାନ, ବ୍ୟାୟାମ, ଧୂମପାନ ଠାରୁ ଦୂରେଇ ରହିବା ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ବାରା ଆମେ ଲିଭରକୁ ସୁସ୍ଥ ରଖିପାରିବା ।
ଇଟିଭି ଭାରତ, ଭୁବନେଶ୍ବର