ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ମାନସିକ ସ୍ଥିତି ଠିକ ନଥିବା ବେଳେ ସେ ଗତ 10 ଦିନ ଧରି ନିଖୋଜ ଥିଲେ । ରାମଚନ୍ଦ୍ରପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି ।
ମୃତ ମହିଳା ହେଉଛନ୍ତି ପୁରୁଣାବାନ୍ଧଗୋଡା ପଞ୍ଚାୟତର ନଣ୍ଡାବର ଗ୍ରାମର ଭ୍ରମରବର ଜେନାଙ୍କ ପତ୍ନୀ ଅମ୍ବିକା ଜେନା । ସୂଚନା ଅନୁସାରେ ଅମ୍ବିକା ଗତ ୧୮ ଏପ୍ରିଲ ତାରିଖରେ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସେ ମାନସିକ ବିକୃତି ରୋଗରେ ଆକ୍ରାନ୍ତ ଥିଲେ। ପରିବାର ଲୋକମାନେ ସବୁଆଡେ ଖୋଜାଖୋଜି କରିବା ପରେ ପରଦିନ ରାମଚନ୍ଦ୍ରପୁର ଥାନାରେ ମୃତ ମହିଳା ନିଖୋଜ ଥିବାର ଅଭିଯୋଗ କରିଥିଲେ।
ଆଜି ମଧ୍ୟାହ୍ନ ସମୟରେ ନଣ୍ଡାବର ଗ୍ରାମର କିଛି ଲୋକ ଚାରକୋଳି ଆଣିବା ପାଇଁ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଏକ ଗଛରେ ଜଣେ ମହିଳାର ମୃତଦେହ ଓହଳି ଥିବାର ଦେଖି ରାମଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ। ରାମଚନ୍ଦ୍ରପୁର ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ତପନ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଗଛରୁ ମୃତଦେହକୁ ଉଦ୍ଧାର କରିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଅମ୍ବିକାଙ୍କ ପରିବାର ଲୋକ ଆସି ମୃତଦେହକୁ ଚିହ୍ନଟ କରିବା ପରେ ଆନନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ ହୋଇଥିଲା । ତେବେ ରାମଚନ୍ଦ୍ରପୁର ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ