କେନ୍ଦୁଝର: ଆଜି ପୌର ନିର୍ବାଚନ । କେନ୍ଦୁଝରରେ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । କେନ୍ଦୁଝରଗଡ଼, ଆନନ୍ଦପୁର, ଯୋଡା ଓ ବଡବିଲ ପୌରପାଳିକା ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୪ ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମିଶାଇ ମୋଟ ୭୯ ୱାର୍ଡ ପାଇଁ ୧୮୮ଟି ବୁଥ୍ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି ।
ସର୍ବମୋଟ ଜିଲ୍ଲାରେ ମୋଟ ୧୮୮ଟି ବୁଥ୍ ମଧ୍ୟରୁ ୧୩ଟି ପିଙ୍କ ବୁଥ ଗଠନ କରାଯାଇଥିବା ବେଳେ ୪୧ଟି ବୁଥକୁ ସମ୍ବେଦନ ଓ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଉକ୍ତ ସମସ୍ତ ୪୧ଟି ବୁଥରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ଇଭିଏମ୍ ମେସିନ ଯୋଗେ ଭୋଟ ଗ୍ରହଣ କରାଯିବାକୁ ଥିବାରୁ ରାଜନୈତିକ ବ୍ୟକ୍ତିଙ୍କ ଉପସ୍ଥିତିରେ ଇଭିଏମ୍ ମେସିନ କମିସନିଂ ଶେଷ ହୋଇଥିବା ବେଳେ ନିର୍ବାଚନ ସୁପରିଚାଳନା ପାଇଁ ୯୪୦ଜଣ ପୋଲିଂ ପର୍ସନାଲ ଓ ୧୩୨ଟି ଯାନ ନିୟୋଜିତ କରାଯାଇଛି ।
ଉଚିତ ପ୍ରାର୍ଥୀ ଓ ଯିଏ ୱାର୍ଡ ପାଇଁ କାମ କରିବ ସେଭଳି ପ୍ରାର୍ଥୀ ବାଛିବେ ବୋଲି ଭୋଟର ମତପ୍ରକାଶ କରିଛନ୍ତି । ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ