ଆନନ୍ଦପୁର: ଭାଡିରେ ରହିଛନ୍ତି ଭଳିକି ଭଳି ରକମର କୁକୁଡା । ଠିକ ସମୟରେ ଦାନା ଦିଆଯିବା ସହ ନିଆଯାଉଛି ଉପଯୁକ୍ତ ଯତ୍ନ । ଅତି ଆଦରର ସହ ସେମାନଙ୍କ ଲାଳନପାଳନ ଦାୟିତ୍ବ ନେଉଛନ୍ତି କେନ୍ଦୁଝର ଘସିପୁରା ବ୍ଲକ ମାଣିଗିରିର ଯୁବଚାଷୀ ଜଗଦୀଶ ବାସ୍କେ । ଆଉ ଏସବୁ କେବଳ ସମ୍ଭବ ହୋଇପାରିଛି ୟୁଟ୍ୟୁବରୁ।
ଦିନେ ୟୁଟ୍ୟୁବରୁ ତାମିଲନାଡୁର ଫାଇଟର କୁକୁଡା ଚାଷ ଦେଖିଥିଲେ ଜଗଦୀଶ । ଏହାସହ ସେ ନିଜେ କରିବେ ବୋଲି ଜଗଦୀଶ ମନସ୍ଥ କରିଥିଲେ । ଆଉ ଦେଖୁ ଦେଖୁ ଫାଇଟର ବ୍ରିଡ ସହ ହୋସଲି ଓ ଜଙ୍ଗଲୀ କୁକୁଡ଼ା ଚାଷ ଆରମ୍ଭ କରିଥିଲେ । ଗୋଟିଏ କୁକୁଡାକୁ 6 ରୁ 10 ହଜାର ଟଙ୍କାରେ କିଣିବା ପାଇଁ ଜଗଦୀଶଙ୍କ ପାଖରେ ରାଜ୍ୟ ବାହାରର ଗ୍ରାହକ ଆସି ପହଞ୍ଚନ୍ତି । କିନ୍ତୁ କୋରୋନା କଟକଣା ପାଇଁ ଏବେ ବେପାର ଟିକେ ମାନ୍ଦା ଚାଲିଛି । ହେଲେ ଏହି ବ୍ୟବସାୟରୁ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସେ ।
କେବଳ କୁକୁଡା ଚାଷ ନୁହେଁ ଛେଳି ଚାଷ ସହ ପରିବା ଓ ଧାନ ଚାଷ ମଧ୍ୟ କରନ୍ତି ଜଗଦୀଶ । 2୦ ଟି ଛେଳିରୁ ଚାଷ ଆରମ୍ଭ କରି ଏବେ ୫୦ ଛେଳିରେ ପହଞ୍ଚାଇଲେଣି । ବେସରକାରୀ ସଂସ୍ଥାରେ କାମ କରୁଥିବା ଜଗଦୀଶ ଆଉ ୫ବର୍ଷ ପରେ ଅବସର ନେବେ । ହେଲେ ନିଜର ରୋଜଗାରକୁ ବଢାଇବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରାଇବାର ସେ ଖୋରାକ ଯୋଗାଇଛନ୍ତି । ତାଙ୍କ କୁକୁଡା ଫାର୍ମରେ ପ୍ରାୟ 5ରୁ 6 ଜଣ ଲୋକେ ଏବେ କାମ କରି ରୋଜଗାର କରି ପାରୁଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସହ ଆଦିବାସୀ ଶ୍ରେଣୀର ହୋଇଥିଲେ ମଧ୍ୟ ଜଗଦୀଶ ନିଜର ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଅନ୍ୟ ମାନଙ୍କ ନିମନ୍ତେ ଉଦାହରଣ ସାଜିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ