କେନ୍ଦୁଝର: ଚାଷୀଙ୍କ ବିକାଶ ପାଇଁ ସରକାର ପ୍ରଣୟନ କରୁଛନ୍ତି ମାଳମାଳ ଯୋଜନା । ସୂର୍ଯ୍ୟମୁଖୀ, ବିରି ଆଉ ମୁଗ ଚାଷ ପାଲଟିଛି ଅର୍ଥ ଆମଦାନୀର ପ୍ରମୁଖ ମାଧ୍ୟମ। ଏହି ଫସଲ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି କିନ୍ତୁ ସେମାନଙ୍କ କ୍ଷେତରେ କରାଯାଉନି ଜଳସେଚନର ସୁବିଧା । ଫଳରେ ଅନେକ ଉତ୍ସାହୀ ଚାଷୀ ଏହି ଚାଷ କରିବାରୁ ମୁହଁ ବୁଲାଇ ନେଉଛନ୍ତି ।
ଏଭଳି ଲାଭଜନକ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଉଥିଲା ବେଳେ କୃଷି ବିଭାଗ ଅନେକ ସମୟରେ ବିହନ ଦେଇ ଦାୟିତ୍ୱ ସାରି ଦେଉଛି। କିନ୍ତୁ ଜଳସେଚନ ବ୍ୟବସ୍ଥା କିପରି ମିଳିପାରିବ ସେ ନେଇ ପଦକ୍ଷେପ ନେଉ ନ ଥିବାରୁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି।
ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେଉଥିବା ଲୋକ ଆଜିକାଲି ସୂର୍ଯ୍ୟମୁଖୀ ତେଲ ଖାଇବାକୁ ପସନ୍ଦ କରୁଛନ୍ତି। ଏହାର ଚାହିଦା ମଧ୍ୟ ବଜାରରେ ଅଧିକ ରହିଛି। ଏଥିପାଇଁ ଚାଷୀଙ୍କ ରୋଜଗାରର ନୂଆ ଆଶା ସାଜିଛି ସୂର୍ଯ୍ୟମୁଖୀ ଚାଷ । ଆଗରୁ ଜିଲ୍ଲାରେ ମୁଗ, ବିରି କୋଳଥ ଆଦି ଚାଷ କରୁଥିବା ଚାଷୀ ଏବେ ନୂଆକରି ଆରମ୍ଭ କରିଛନ୍ତି ଏହି ଫସଲ । ଏଥିରୁ ଯଥେଷ୍ଟ ଲାଭ ମଧ୍ୟ ପାଉଛନ୍ତି । ଯଦି ଉପଯୁକ୍ତ ପ୍ରୋତ୍ସାହନ ସହିତ ସଠିକ୍ ଭାବରେ ଜଳ ସେଚନ ହୋଇପାରିବ, ତେବେ ଏହି ଚାଷ ବ୍ୟାପକ ପରିମାଣରେ ହୋଇପାରିବ ଚାଷୀମାନେ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ