କେନ୍ଦୁଝର: ଦୀର୍ଘ 9 ମାସ ବ୍ୟବଧାନ ପରେ ଖୋଲିଛି ବିଦ୍ୟାଳୟ । କୋଭିଡ୍ କଟକଣା ଓ ଏସଓପି ମଧ୍ୟରେ ବିଦ୍ୟାଳୟଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ କେନ୍ଦୁଝର ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । 5ଟି ବିଦ୍ୟାଳୟରେ ଏସଓପି ପାଳନ ହୋଇନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏସଏମଆର ଉଚ୍ଚ ବିଦ୍ୟାଳୟ ଝାରବେଳଦା, ସରକାରୀ ଉଚ୍ଚ ବିଦ୍ୟାଳୟ ଖିରେଇ ଟାଙ୍ଗିରି, ବିଶୋଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଯମୁନାପଶି, ପିଏମବି ଉଚ୍ଚ ବିଦ୍ୟାଳୟ ବଲାଣିପସି ଓ ଝଲାମଣି ଉଚ୍ଚ ବିଦ୍ୟାଳୟ ଦେଣୁଆରେ ଏସଓପି ପାଳନ ହୋଇନଥିବା ଜଣାପଡିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପରିଦର୍ଶନ କରିଥିବା ସମୟରେ ଏସଓପିରେ ଖିଲାପ ହୋଇଥିବା ଜାଣିବାକୁ ପାଇଥିଲେ ।
ପରେ 5ଟି ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କର ଜାନୁଆରୀ ମାସର ଦରମା ବନ୍ଦ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ