କେନ୍ଦୁଝର: ବଣ ଜଙ୍ଗଲ ଭରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେନ୍ଦୁଝର । ଏହି ଆଦିମ ଜନଜାତି ଭରା ଜିଲ୍ଲାରେ ପ୍ରକୃତି ଭରି ଦେଇଛି ଅପରୁପା ସମ୍ଭାର । ଏଠି ଶାଳ ପିଆଶାଳ ଭଳି ଜଙ୍ଗଲ ସହ ଲୌହ ଓ ମାଙ୍ଗାନିଜ ପରି ଖଣିଜ ସମ୍ପଦ ଭରି ରହିଛି । ଜିଲ୍ଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତର ଇମିରି ଗ୍ରାମର ଥିବା ଖଣି ଖାଦାନରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଛନ୍ତି । କିନ୍ତୁ ଏତେ ପରିମାଣର ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ଏଠିକାର ଅଧିବାସୀ ଗରିବ ବୋଲି ବହୁବାର ଅଭିଯୋଗ ହେଇଆସୁଛି । ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠିକାର ଆଦିବାସୀ ।
ଇମିରି ଗ୍ରାମକୁ ପ୍ରାକୃତିକ ପରିବେଷ ଭରା ବଣ ଜଙ୍ଗଲ ଘେରି ରହିଛି । ଅଳ୍ପ କିଛି ଦିନ ହେବ ଜିଲ୍ଲା ପ୍ରଶାସନ ସହାୟତାରେ ଗ୍ରାମକୁ ଯିବା ପାଇଁ ପିଚୁ ରାସ୍ତାଟିଏ ତିଆରି ଆରମ୍ଭ ହୋଇଛି । ନହେଲେ ଅନ୍ୟ କୈଣସି ମୌଳିକ ସୁବିଧା ଏଠି ଦିବା ସ୍ବପ୍ନ । ଏହି ଗ୍ରାମରେ ନା ପାଣି ପାଇଁ ନଳକୂଅ ଅଛି, ନା ଶିଶୁ ତଥା ମାଆଟିଏ ପାଇଁ ଅଙ୍ଗନବାଡି କେନ୍ଦ୍ର ଅଛି । ପାଣି ପାଇଁ ଏମାନେ ଗ୍ରାମ ଠାରୁ ଟିକେ ଦୂରରେ ଚୁଆଟିଏ ଖୋଳି ନନ୍ଦ ବସାଇଛନ୍ତି, ଏହି ସ୍ଥାନଟି ବଣ ଜଙ୍ଗଲ ଅଞ୍ଚଳରେ ରହିଥିବାରୁ ଜୀବଜନ୍ତୁଙ୍କ ଭୟ ରହିଛି ।
ସେପଟେ ଏହି ପାଣି ପିଇ ରୋଗ ହେଲେ ମଧ୍ୟ ଗ୍ରାମବାସୀଙ୍କ ନିକଟରେ ଆଉ କିଛି ଚାରା ନାହିଁ । ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇ ପାରିନାହିଁ । ଗ୍ରାମବାସୀଙ୍କ ଏକମାତ୍ର ସାହାରା ହେଉଛି ସୋଲାର ଲାଇଟ । ସେ ଲାଇଟ ପୁଣି ନିଜ ଖର୍ଚ୍ଚରେ ଗରିବ ଆଦିବାସୀ ବହୁ କଷ୍ଟରେ କିଣି ଆଣୁଛନ୍ତି । ଏ ନେଇ ଜଣେ ଗ୍ରାମବାସୀ ସୁନାରାମ ପ୍ରଧାନ କହିଛନ୍ତି, "ବିଦ୍ୟୁତ ପାଇଁ ଏଠାରେ ସର୍ଭେ କରାଯାଇଥିଲା । ଖୁବଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା । ମାତ୍ର ସର୍ଭେ ପରେ କୌଣସି ଅଧିକାରୀଙ୍କ ଦେଖାନାହିଁ । ଆମେ ବହୁ କଷ୍ଟରେ ସୋଲାର ଲାଇଟ ଆଣି ରାତିରେ ଚଳୁଛୁ ।"
ରୋଜଗାର କହିଲେ ଏହି ଗ୍ରାମବାସୀଙ୍କ ନିକଟରେ କିଛି ନାହିଁ । ଏଣୁ ଗ୍ରାମବାସୀଙ୍କ ପାଇଁ ଦୁଇ ଓଳି ଖାଦ୍ୟ ମିଳିବା ମଧ୍ୟ କଷ୍ଟ ହୋଇପଡ଼ୁଛି । ଖାଲି ଯେ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଗ୍ରାମବାସୀ ତାହା ନୁହେଁ, ଅଙ୍ଗନବାଡି କେନ୍ଦ୍ର ରହିଥିଲେ ମଧ୍ୟ ଅଙ୍ଗନବାଡି ଦିଦିଙ୍କର ଏହି ଗ୍ରାମକୁ ମନଇଚ୍ଛା ଆସିବା ଦ୍ବାରା ଏଠି ଶିଶୁ କୁପୋଷଣର ଶିକାର ହେଇ ମୃତ୍ୟୁ ହେଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି । ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ନବଜାତ ଶିଶୁ ମୃତ୍ୟୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।
ଏହି ନବଜାତ ଶିଶୁ ମୃତ୍ୟୁ ମଧ୍ୟରେ ବାଂଶପାଳ ବ୍ଲକ ଇମିରି ଗ୍ରାମର କାମା ଦେହୁରୀର ନବଜାତ ଶିଶୁ ମଧ୍ୟ ରହିଥିଲା । ଉକ୍ତ ଶିଶୁ ମୃତ୍ୟୁ ଘଟଣା ପରେ ଏଭଳି ଘଟଣା ନଘଟିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଉକ୍ତ ଅପହଞ୍ଚ ଅଞ୍ଚଳ ଗୁଡିକରେ ପ୍ରଶାସନ ପକ୍ଷରୁ କୁପୋଷଣ ଓ ଗର୍ଭଜନିତ ସଚେତନତା ନେଇ ବ୍ୟାପକ ବ୍ୟବସ୍ଥାର ଆବଶ୍ୟକ ରହିଛି । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯଥାଶୀଘ୍ର ଗାଁକୁ ପାନୀୟ ଜଳ, ବିଦ୍ୟୁତ ଓ ଅଙ୍ଗନବାଡ଼ି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଖାଲି ମୌଳିକ ସୁବିଧା ନୁହେଁ, ଗ୍ରାମବାସୀଙ୍କ ନିକଟରେ ନାହିଁ ରୋଜଗାରର ପନ୍ଥା । ଗ୍ରାମବାସୀଙ୍କ ଭୋଟ ବ୍ୟତୀତ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ସ୍ଥାନୀୟ ପ୍ରଶାସନ ଓ ସରକାର ଗୁରୁତ୍ବାରୋପ କଲେ ଉପକୃତ ହୋଇପାରିବେ ଏଠାକାର ବାସୀ ।
ଇଟିଭି ଭାରତ, କେନ୍ଦୁଝର