କେନ୍ଦୁଝର: ଓଡ଼ିଶାର ମୁଖ୍ୟ ଅର୍ଥକାରୀ ଫସଲ ଭାବେ ପରିଚିତ ଧାନ ଫସଲକୁ ଜିଲ୍ଲାରେ ପ୍ରାଧାନ୍ୟ ଦିଆଯାଇଥାଏ । ଏହାକୁ କିଏ ବର୍ଷକୁ ଥରେ ତ କିଏ ଦୁଇ ଥର ଚାଷ କରିଥାନ୍ତି । ଏହା ସହ ପରିବା ଚାଷ ମଧ୍ୟ କରିଥାନ୍ତି । କିନ୍ତୁ ଏବେ ଏହି ପାରମ୍ପରିକ ଚାଷରୁ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି ଚାଷୀ ଓ ଅଣଚାଷୀ ।
ବିଶେଷ କରି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଚାଷୀମାନେ ପାରମ୍ପରିକ ଚାଷକୁ ଛାଡି ଅର୍ଥକାରୀ ଫସଲକୁ ଆପଣେଇଛନ୍ତି । ଏହି ଅର୍ଥକାରୀ ଫସଲ ଭାବେ ଜିଲ୍ଲାର ବାଂଶପାଳ ଆଦି ଅଞ୍ଚଳର ଲୋକମାନେ ମାଣ୍ଡିଆ ଚାଷ ଆରମ୍ଭ କଲେଣି । ପୂର୍ବରୁ ଏହାକୁ ପାହାଡ଼ ମାନଙ୍କରେ ପାରମ୍ପରିକ ଭାବେ ଚାଷ କରୁଥିଲେ । କିନ୍ତୁ ଏବେ ଏହାକୁ ଚାଷ ଉପଯୋଗୀ ପ୍ରଣାଳୀରେ ବିଲ ମାନଙ୍କରେ ଚାଷ ଆରମ୍ଭ କରିଛନ୍ତି । ବିଶେଷ କରି ଏହି ମାଣ୍ଡିଆକୁ ମହିଳାମାନେ ପ୍ରାଧାନ୍ୟ ଦେଇ ଚାଷ ଆରମ୍ଭ କରିଛନ୍ତି । ଏହି ମାଣ୍ଡିଆକୁ ସରକାର ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି ।
ତେବେ ମାଣ୍ଡିଆରୁ ମହିଳା ଓ ଶିଶୁଙ୍କୁ ବିକାଶ ପାଇଁ ଅଧିକ ପୋଷାଣ ମିଳୁଥିବାରୁ ସରକାର ଏବେ ଗାଁ ଗାଁରେ 'ମାଣ୍ଡିଆ ମିଶନ' ଆରମ୍ଭ କରିଛନ୍ତି। ଅପରପକ୍ଷେ ବାଂଶପାଳ ମହିଳାଙ୍କୁ ମାଣ୍ଡିଆ ଚାଷ ପାଇଁ ସରକାରୀ ସାହାଯ୍ୟ ମିଳିନଥିବା ସେମାନେ ପ୍ରକାଶ କରିବା ସହ ଏହା ଏକ ଲାଭକାରୀ ଚାଷ ହିସାବରେ ସେମାନେ ଚାଷ କରିଥିବା ପ୍ରକାଶ କରିଛନ୍ତି । ଏହା ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ବେସରକାରୀ ସଂସ୍ଥା ମାନେ ମଧ୍ୟ ଗାଁ ଗାଁରେ ଚାଷ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ପ୍ରଧାନ, ଇଟିଭି ଭାରତ