ଆନନ୍ଦପୁର: ଶେଷ ହେଲା କୁଆଁରୀ କନ୍ୟାଙ୍କ ପବିତ୍ର ଓଷା ଖୁଦୁରୁକୁଣୀ । ମା ସର୍ବମଙ୍ଗଳାଙ୍କ ପୂଜା ଉତ୍ସବ ଖୁଦୁରୁକୁଣୀ ଓଷା। ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ଏହି ଓଷା ପାଳିତ ହେବାର ବିଧି ରହିଛି । ପ୍ରତ୍ୟୁଷରୁ କୂଆଁରୀମାନେ ପୁଷ୍କରିଣୀରେ ସ୍ନାନ କରି ପୁଷ୍କରିଣୀ କୂଳରେ ବାଲୁକା ପୂଜା କରନ୍ତି। ଓ ସନ୍ଧ୍ୟାରେ ଘରେ ଘରେ ଖୁଦୁରୁକୁଣୀ ଓଷା ପାଳନ କରାଯାଏ। ଓଷାର ଶେଷ ପାଳି ମଧ୍ୟ ଖୁବ ଜାକଜକମର ସହ ପାଳନ ହୋଇଥାଏ । ଏହି କ୍ରମରେ କେନ୍ଦୁଝର ଘସିପୁରା ବ୍ଲକର ତରିମୁଳ ଗାଁରେ ଖୁଦୁରୁକୁଣୀ ଓଷା ବେଶ ଧୁମଧାମର ସହ ଉଦଯାପିତ ହୋଇଯାଇଛି ।
ମା’ ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବା ସହ ଭାଇର ଶୁଭ ମନାସୀ ଏହି ଓଷା ପାଳନ କରିଥାନ୍ତି ଓଡିଆଣୀ ଝିଅ । କିମ୍ବଦନ୍ତୀ କହେ ତଅପୋଇ ନିଜ ଭାଇ ପାଇଁ ଏହି ପୂଜା କରିଥିଲେ । ଆଉ ସେହି ଯୁଗରୁ ଆଜି ଯାଏଁ ଓଡିଆ ଝିଅମାନେ ଏହି ଓଷା ପାଳନ କରିଆସୁଛନ୍ତି । ଏହି ପରମ୍ପରା ଅନୁଯାୟୀ ତରିମୁଳ ଗାଁରେ 10ଟି ଖୁଦୁରୁକୁଣୀ ମେଢ ହୋଇଥିଲା । ମେଢ ସଜାଇବା ପାଇଁ ସତେ ଯେମିତି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ଶେଷ ରବିବାର ପରଦିନ ଭସାଣି ପର୍ବ ମଧ୍ୟ ଏକତ୍ର ଅନୁଷ୍ଠିତ ହୋଇଥିଲା । ଗାଁର ସମସ୍ତ ମେଢ ଗୋଟିଏ ଶୋଭଯାତ୍ରାରେ ବାହାରି ଗାଁ ପୋଖରୀରେ ଖୁଦୁରୁକୁଣୀଙ୍କୁ ବିସର୍ଜନ କରିଥିଲେ ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଏହି ପୂଜା ଏକ ଗଣପର୍ବ ରୂପେ ପାଳିତ ହୋଇଥାଏ । ଘସିପୁରା ବ୍ଲକର ତରିମୁଳ ଗାଁରେ ଖୁଦୁରୁକୁଣୀ ଓଷାର ଶେଷ ପାଳି ଏଠାରେ ଜାକଜକମରେ ପାଳିତ ହେବା ସହ ଅନେକ ସ୍ଥାନରେ ପ୍ରତିଯୋଗିତା ଭିତ୍ତିରେ ଅନୁଷ୍ଠିତ ହୋଇଥାଏ । ଏହାର ପରଦିନ ଖୁଦୁରୁକୁଣୀ ଭଷାଣୀ ଅନୁଷ୍ଠିତ ହୋଇଥାଏ ।
ଖୁଦୁରୁକୁଣୀ ପୂଜାରେ ମାଟି ଆଣିବା ଠାରୁ ଆରମ୍ଭ କରି 5ପାଳି ଖୁଦୁରୁକୁଣୀ ଓଷା ଗାଁର ଝିଅମାନେ ଏକାଠି କରିଥାନ୍ତି । ପ୍ରତି ରବିବାର ଅତ୍ୟନ୍ତ ନିଷ୍ଠାର ସହ ଝିଅମାନେ ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଶେଷ ରବିବାର ପରଦିନ ଭସାଣି ପର୍ବ ମଧ୍ୟ ଏକତ୍ର ଅନୁଷ୍ଠିତ ହୋଇଥାଏ । ଗାଁର ସମସ୍ତ ମେଢ ଗୋଟିଏ ଶୋଭଯାତ୍ରାରେ ବାହାରି ଗାଁ ପୋଖରୀରେ ଖୁଦୁରୁକୁଣୀଙ୍କୁ ବିସର୍ଜନ କରାଯାଏ । ଶେଷ ରବିବାର ପୂଜା ଦେଖିବା ପାଇଁ ଗାଁରେ ଲୋକଙ୍କ ଭିଡ ଜମେ। ଆଧୁନିକକତାର ଚାକଚକ୍ୟରେ ଲୋକେ ନିଜ ପରମ୍ପରା ଭୁଲିବାକୁ ବସିଥିବା ବେଳେ, ଏହି ଖୁଦୁରୁକୁଣୀ ଓଷା ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ