ଆନନ୍ଦପୁର: ସମସ୍ତଙ୍କ ମନୋବାଞ୍ଚା ପୂରଣ କରି ସର୍ବ କୁଶଳରେ ରହିବା ପାଇଁ ଆଶୀର୍ବାଦ ପ୍ରଦାନ କରୁଥିବା ମହାଦେବ ହେଉଛନ୍ତି ବାବା କୁଶଳେଶ୍ବର । କୁଶଳରେ ରହିବା ପାଇଁ ବର ପ୍ରଦାନ କରୁଥିବାରୁ ତାଙ୍କର ନାମ କୁଶଳେଶ୍ବର ବୋଲି ଜନମାନସରେ ପ୍ରସିଦ୍ଧି ଲାଭ କରିଛି । କେନ୍ଦୁଝର ଆନନ୍ଦପୁରରୁ ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ ।
ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥାନ ଅଧିକାର କରିଛି କେନ୍ଦୁଝରର ସର୍ବ ପୁରାତନ ଶୈବ ପୀଠ ବାବା କୁଶଳେଶ୍ବର ମହାଦେବ ମନ୍ଦିର । ଆନନ୍ଦପୁର ଠାରୁ ୧୦ କିଲୋମିଟର ପରେ ହରିଚନ୍ଦନପୁର ଯିବା ରାସ୍ତାରେ ଗଲେ ଦେଓଗାଁରେ ପଡେ ଏହି ପୀଠ । ଦେବଗ୍ରାମ ଭାବେ ପରିଚିତ ଏହି ଗାଁ କାଳକ୍ରମେ ଲୋକ ବାଣୀରେ ଦେଓଗାଁ ଭାବେ ପରିଚିତ ହୋଇଛି । ଅନେକ ଏହାକୁ କୁଶଳେଶ୍ବର ଗାଁ ଭାବେ ଜାଣିଛନ୍ତି ।
କୁଶଳେଶ୍ବର ମନ୍ଦିରକୁ ନେଇ କଣ କହେ ଇତିହାସ ?
ପ୍ରାୟ ଖ୍ରୀଷ୍ଟାବ୍ଦ ନବମ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ରାଜତ୍ବ କାଳରେ କୁଶେଇ ନଦୀ କୂଳରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ମନ୍ଦିରକୁ ସୁରକ୍ଷା ଦେବା ପାଇଁ ରାଜାଙ୍କ ଦ୍ଵାରା ପଥର ବନ୍ଧ ଓ ନଦୀ ମଧ୍ୟକୁ ଯିବା ପାଇଁ ପଥର ପାବଚ୍ଛ ନିର୍ମାଣ କରାଯାଇଛି । ଯାହା ଆଜି ମଧ୍ୟ ଏହି ଅଞ୍ଚଳର ଶୋଭା ବର୍ଦ୍ଧନ କରୁଛି । ବହୁ ପ୍ରାଚୀନ ଏହି ମନ୍ଦିରର ନିର୍ମାଣ ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟିର, ଆକର୍ଷଣୀୟ ଓ କାରୁକାର୍ଯ୍ୟ ସମ୍ପନ୍ନ ।
ଏହାର ଗୁହାମାନଙ୍କରେ ଖଜୁରାହୋ ମନ୍ଦିର ପରି ପ୍ରତିଛବି ସ୍ଥାନିତ ହୋଇଛି । ସମ୍ମୁଖରେ ଦୀର୍ଘକାୟ ବୃଷଭଙ୍କ ପ୍ରତିମୂର୍ତ୍ତି ଓ ତାହାର ଅନତି ଦୂରରେ ଏକ ବାମ୍ଫି ରହିଛି । ଏହି ବାମ୍ଫିର ସୁଶୀତଳ ଜଳ ବାବାଙ୍କ ପୂଜା କର୍ମରେ ବ୍ୟବହାର ହୋଇଥାଏ । ବାବା କୁଶଳେଶ୍ବରଙ୍କ ବାମ ପାର୍ଶ୍ଵରେ ଶକ୍ତି ସ୍ବରୂପା ମା’ ପାର୍ବତୀ ପୂଜା ପାଇଥାନ୍ତି । ସମ୍ମୁଖ ଭାଗରେ ଥିବା ମୁକ୍ତି ମଣ୍ଡପର ନିର୍ମାଣ ଶୈଳୀ ଅନ୍ୟ ମୁକ୍ତିମଣ୍ଡପ ଠାରୁ ଭିନ୍ନ ଓ ସ୍ବତନ୍ତ୍ର । ସେହିପରି ଦକ୍ଷିଣ ଦିଗରେ ଗୋକର୍ଣ୍ଣିକା ବଟ ରହିଛି ଯାହାର ପତ୍ରର ତଳ ପୃଷ୍ଠ ବରପତ୍ର ସଦୃଶ ହୋଇଥିବାବେଳେ ଉପର ପୃଷ୍ଠ ଅଶ୍ବତଥ୍ ପତ୍ର ପରି ଏବଂ ଗାଈର କାନ ସଦୃଶ ଲମ୍ବା ଅଟେ । ବିଶ୍ବାସ କରାଯାଏ ଏହି ବୃକ୍ଷରେ ହର ଏବଂ ହରି ବାସ କରିଥାନ୍ତି ।
ବର୍ଷର ଅନେକ ପର୍ବପର୍ବାଣୀ ମଧ୍ୟରେ ବାବାଙ୍କର ପ୍ରିୟ ପର୍ଵ ଜାଗର । ବହୁ ଆଡମ୍ବର ସହକାରେ ୧୫ ଦିନ ଧରି ଏଠାରେ ଜାଗର ପାଳନ କରାଯାଏ । ତେବେ ଏହି ମନ୍ଦିରଟି ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଥିବାବେଳେ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଛି ।
ବାବାଙ୍କର ପୂଜାକାର୍ଯ୍ୟ ନିମନ୍ତେ ପୂର୍ବ ଭଳି ବାମ୍ଫିର ଜଳ ମିଳୁନଥିବାବେଳେ ପାଣିର ସମସ୍ୟା ଭଳି ଅନେକ ସମସ୍ୟା ଥିବା ପୂଜକ ମାନେ ଅଭିଯୋଗ କରିଛନ୍ତି । ବାବାଙ୍କର ନିଜସ୍ବ ଆୟ, ମାର୍କେଟ କମ୍ପ୍ଲେକ୍ସ, ହାଟ ଓ ଜାଗର ଯାତ୍ରା ସମୟରେ ମିଳୁଥିବା ଅର୍ଥରାଶି ମହଜୁଦ ଥିଲେବି ପରିଚାଳନା ଗତ ତ୍ରୁଟି ଯୋଗୁଁ ମନ୍ଦିରର ସେବାନୀତି ଓ ପୂଜକ ମାନେ ଅବହେଳିତ ହେଉଥିବା ଅଭିଯୋଗ ହୁଏ ।
ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ମନ୍ଦିରର ସମସ୍ୟା ପ୍ରତି ଦୃଷ୍ଟିଦେଲେ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ମନ୍ଦିର ସୁରକ୍ଷିତ ଓ ସୁପରିଚାଳନା ହୋଇପାରନ୍ତା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ