କେନ୍ଦୁଝର: ମହାମାରୀ କୋରୋନା ନେଇ ସାରା ବିଶ୍ବ ଆତଙ୍କିତ । ଲକ ଡାଉନ ପାଇଁ ସବୁ ଧାର୍ମିକ ଅନୁଷ୍ଠାନରେ ନୀତିକାନ୍ତି ଛଡା ସାମୂହିକ କାର୍ଯ୍ୟକୁ ବାରଣ କରାଯାଇଛି । ଏପରିକି ପୁରୀ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନିଶ୍ଚିତତାରେ ରହିଥିଲା । ହେଲେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।
କିନ୍ତୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଛି । କେନ୍ଦୁଝର ଏହି ନନ୍ଦିଘୋଷ ରଥ ବିଶ୍ବରେ ସର୍ବ ବୃହତ ରଥ ହୋଇଥିଲା ବେଳେ ତାର ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ସମୟ ସାପେକ୍ଷ । ଗତ ବର୍ଷ ରଥ ଯାତ୍ରା ସମୟରେ ନନ୍ଦିଘୋଷ ରଥର ଏକ ଚକ ଭାଙ୍ଗି ଯାଇଥିଲା ବେଳେ ତାର ନିର୍ମାଣ ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ସେଥିପାଇଁ ଲକ ଡାଉନ ପୂର୍ବରୁ ଏହି ରଥକୁ ଏକ ପ୍ରକାର ସମ୍ପୂର୍ଣ୍ଣ ଖୋଲା ଯାଇଥିଲା । କିନ୍ତୁ ଲକ ଡାଉନ ପରେ ଏହା ଅର୍ଧ ନିର୍ମିତ ହୋଇପଡିଛି । ରଥଯାତ୍ରାକୁ ଆଉ ଅଳ୍ପ କିଛି ଦିନ ଥିବା ବେଳେ ଚଳିତ ବର୍ଷ ରଥ ଗଡିବ କି ନାହିଁ ତାକୁ ନେଇ ଆଶାଆଶଙ୍କାରେ ସଭିଏଁ ।
ଏଥିପାଇଁ ପହଣ୍ଡିଆ ସେବକ ଓ ବୁଦ୍ଧିଜୀବୀ ପ୍ରଶାସନକୁ ଦାୟୀ କରିଛନ୍ତି । ପ୍ରଶାସନ ପୂର୍ବରୁ ଜଙ୍ଗଲରୁ କାଠ ଆଣି ପୂର୍ବ ପ୍ରସ୍ତୁତି କରିଥିଲେ ଏହି ଅସୁବିଧା ହୋଇନଥାନ୍ତା ବୋଲି ପ୍ରକାଶ କରିଛନ୍ତି । ସେପଟେ ରଥ ମହାରଣା ପ୍ରଶାସନ ସହଯୋଗ କଲେ ଅଧିକ ସଂଖ୍ୟକ କର୍ମଚାରୀ ଲଗାଇ ରଥ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ପୂର୍ବ ଯୋଜନା ଅନୁଯାୟୀ ସମ୍ପୂର୍ଣ୍ଣ ରଥକୁ ନ ଖୋଲି ଯେଉଁ ଅଂଶ ଭାଙ୍ଗିଛି ତାକୁ ନିର୍ମାଣ କରାଯିବ ବୋଲି ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ