କେନ୍ଦୁଝର: ପଲିଥିନ ତଳେ ଜୀବନ । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ଖରାବେଳେ ପୋଖରୀ ପାଖ ବରଗଛ ତଳେ ସମୟ କଟେ । ଏହି ବେସାହାରାଙ୍କ ଆଶ୍ରୟସ୍ଥଳୀ ପାଲିଟିଛି ଦଦରା ପଲିଥିନ । କେବଳ ଏତିକି ନୁହେଁ, ଘରେ ଓଳିଏ ଚୁଲି ଜଲିଲେ, ଦିଓଳି ଉପାସ ରହିବାକୁ ବି ପଡେ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ 4-୫ ବର୍ଷ ହେବ ଏମିତି ଜୀବନ-ଯନ୍ତ୍ରଣା ସହ ଜୁଝିଜୁଝି ଦୁଃଖରେ ଦିନ କାଟୁଛନ୍ତି କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଜେନା ସାହିରେ ରହୁଥିବା ଏହି ବୃଦ୍ଧ ଦମ୍ପତି ।
ବୟସର ଅପରାହ୍ନରେ ଆଜି ପୁଅବୋହୂ କେହି ବି ନାହାନ୍ତି । ବର୍ଷା ହେଉକି ଖରା ଛିଣ୍ଡା ପଲିଥିନ ଘର ହିଁ ମନୁ ଓ ସୁକୁମାରୀଙ୍କ ଏକମାତ୍ର ସାହାରା । ସାହାଯ୍ୟ ନାଁରେ ଚାଉଳ ଓ ଭତ୍ତା ଟିକକ ମିଳୁଛି । ସେଥିରେ ଦୁଃଖକଷ୍ଟ ଯେନତେନ ଚଳୁଛନ୍ତି ଦୁଇ ପ୍ରାଣୀ । ସରକାର ଘର ଖଣ୍ଡିଏ ଦେଲେ ବାକି ତକ ଦିନ ଭଲରେ କଟନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ମନୁ-ସୁକୁମାରୀଙ୍କ ଦୁଃଖ କାହାଣୀ ଶୁଣି ଏବିଡିଓ ଏବାବଦରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସରକାର ଗରୀବଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ବାସ୍ତବଚିତ୍ର ଏବେ ଆଖି ସାମ୍ନାରେ । ଏବେ ଏହି ବୃଦ୍ଧ ଦମ୍ପତିଙ୍କ ଉପରେ ସରକାରଙ୍କ ନଜର କେବେ ପଡିବ ତାହା କେବଳ ସମୟ ହିଁ କହିପାରିବ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ